ଅଧାବାଟରେ ଶବକୁ ଛାଡ଼ି ପଳାଇଲା ଆମ୍ବୁଲାନ୍ସ
ଟଙ୍କା କେଇଟା ପାଇଁ ରାସ୍ତା କଡ଼ରେ ମୃତଦେହକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ଼୍ରାଇଭର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆରେ ।
ଛତିଆ: ଟଙ୍କା କେଇଟା ପାଇଁ ରାସ୍ତା କଡ଼ରେ ମୃତଦେହକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ ଡ଼୍ରାଇଭର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆରେ । ପରିବାର ଲୋକେ ଦାବି ମୁତାବକ ଟଙ୍କା ଦେଇନପାରିବାରୁ ମହିଳାଙ୍କ ଶବକୁ ଯାଜପୁର ଜିଲ୍ଲା ଛତିଆ ନେଳିଆ ବ୍ରିଜ୍ ନିକଟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ଆମ୍ବୁଲାନ୍ସ ଚାଳକ।

ସୂଚନା ଅନୁସାରେ, ଢେଙ୍କାନାଳର ହେମନ୍ତ ମିଶ୍ରଙ୍କ ପତ୍ନୀ ଛବି ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସ୍ବାମୀ ହେମନ୍ତ ଓ ଶ୍ବଶୁର ଏକ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ଶବ ନେଇ ଛତିଆ ଫେରିଥିଲେ। ଛତିଆରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଚାଳକ ୫ ହଜାର ଟଙ୍କା ଭଡ଼ା ମାଗିଥିଲା। ହେମନ୍ତଙ୍କ ପାଖରେ ଏତେ ଟଙ୍କା ନଥିବାରୁ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇନଥିଲା ଡ୍ରାଇଭର। ମାନବିକତାକୁ ଭୁଲିଯାଇ ସେମାନଙ୍କ ସହ ଯୁକ୍ତିତର୍କ କରି ଭୋର ସମୟରେ ଛତିଆ ନେଳିଆ ବ୍ରିଜ୍ ପୂର୍ବରୁ ଶବଟିକୁ ଜବରଦସ୍ତ ରାସ୍ତା ତଳକୁ ଗଡ଼ାଇ ଦେଇ ଗାଡ଼ି ନେଇ ପଳାଇଥିଲା।
ରାସ୍ତାକଡ଼ରେ ରାତିସାରା ପଡ଼ି ରହିବା ପରେ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ଛତିଆ ବିଟ ହାଉସ ଅଧିକାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ସ୍ୱାମୀକୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଅର୍ଥ ଅଭାବରୁ ଶବ ସତ୍କାର କରି ହେଉନଥିବା ବେଳେ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଛି ।












Click it and Unblock the Notifications