ଅଧା ରାଜ୍ୟରେ ଅହିଂସାର ବାର୍ତ୍ତା ପ୍ରଚାର କଲା ଅହିଂସା ରଥ
ସ୍ବାଧୀନତାର 75 ବର୍ଷ ପାଳନ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅହିଂସା_ରଥ ପରିକ୍ରମା ଅଭିଯାନ। ଏହି ରଥ ଏବେ ରାଜ୍ୟର ଅଧା ଅଞ୍ଚଳ ଅର୍ଥାତ୍ 15ଟି ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିକ୍ରମା କରିଛି।
ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମତରେ ଦାରିଦ୍ର୍ଯ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଦରିଦ୍ର୍ରତା ରହିଥିବା ସେ ପର୍ଯ୍ୟନ୍ତ ସ୍ଵାଧୀନତାର ମୂଲ୍ୟ ଅର୍ଥହୀନ। ଏହି ପରିପ୍ରେକ୍ଷୀରେ ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅହିଂସା ରଥ ପରିକ୍ରମା ଅଭିଯାନ। ଏହି ରଥ ଏବେ ରାଜ୍ୟର ଅଧା ଅଞ୍ଚଳ ଅର୍ଥାତ୍ ୧୫ଟି ଜିଲ୍ଲାର ବିଭିନ୍ନ ବ୍ଲକ୍ ପରିକ୍ରମା କରିଛି।

ଚଳିତ ସ୍ବାଧୀନତା ଦିବସ ଦିନ ଅହିଂସା ରଥ ପରିକ୍ରମାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥ ପରିକ୍ରମା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍ଇଡ଼ି ଭିଡ଼ିଓ ୱାଲ୍ରେ ସଜ୍ଜିତ 4ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଥିଲା ।
ଆଜି ରାଜ୍ୟର ୧୫ଟି ଜିଲ୍ଲା ବୁଲି ସାରିଛି ଏହି ରଥ । ପୁରୀ, ନୟାଗଡ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ପାରମ୍ପରିକ ବେଶଭୂଷା, ଲୋକନୃତ୍ୟ ଏବଂ ସଂକୀର୍ତ୍ତନ ମଣ୍ଡଳୀ ରଥକୁ ସ୍ବାଗତ କରିବା ସହିତ ଏହାର ସମ୍ବର୍ଦ୍ଧନାର ମୁଖ୍ୟ ଆକର୍ଷଣ ସାଜିଛି। ଅହିଂସାର ବାର୍ତ୍ତା ବାଣ୍ଟୁଛି ଏହି ରଥ । ସ୍ବାଧିନତା ସଂଗ୍ରାମରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସହ ସେମାନଙ୍କର ବଳିଦାନର ତଥ୍ୟ ପ୍ରଦର୍ଶନ କରାଯାଉଛି।
ଗାନ୍ଧିଜୀଙ୍କ ଓଡିଶା ଗସ୍ତ
ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତ ସମୟର କାହାଣୀ ମଧ୍ୟ ଫଟୋରେ ରହିଛି। ଓଡ଼ିଶାର ସଂଗ୍ରାମୀ ନେତାମାନଙ୍କର ସଂଗ୍ରାମର ଭୂମିକା ବିଷୟରେ ବଖାଣୁଛି ଅହିଂସା ରଥ। ଲବଣ ସତ୍ୟାଗ୍ରହଠୁ ଆରମ୍ଭ କରି ଭାରତଛାଡ଼ ଆନ୍ଦୋଳନ, ପାଇକ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, କ୍ରାନ୍ତି ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଭଳି କନ୍ଧ ଜନଜାତିଙ୍କ ଘୁମୁସୁର ବିଦ୍ରୋହ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ରାଜ୍ୟବାସୀଙ୍କୁ ସ୍ବାଧିନତାର ସଙ୍ଘର୍ଷ କାହାଣୀ ବିଷୟରେ ଜାଣିବାକୁ ଏହା ଏକ ସୁଯୋଗ । ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍ ଗସ୍ତ କରୁଛି।
ଶିକ୍ଷାନୁଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଜ୍ୟର ବିଭିନ୍ନ ଜିଲ୍ଲା ଭ୍ରମଣ ବେଳେ କିଛି ଶିକ୍ଷାନୁଷ୍ଠାନକୁ ଯାଇଛି ଏହି ରଥ । ତେବେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପାରମ୍ପରିକ ନୃତ୍ୟଗୀତ ସହିତ ରଥକୁ ସ୍ବାଗତ କରିଥିବା ଦେଖାଯାଇଥିଲା । ପିଲାମାନଙ୍କୁ ସ୍ବାଧିନତା ସଂଗ୍ରାମୀଙ୍କ ମହତ୍ତ୍ବ ବିଷୟରେ ଏହି ରଥ ମାଧ୍ୟମରେ କୁହାଯାଇଛି।
ମିଶନ ଶକ୍ତି ମାଆଙ୍କ ଭୂମିକା
ମିଶନ ଶକ୍ତିର ମାଆ ମାନେ ଏହି ରଥକୁ ଭିନ୍ନ ଢଙ୍ଗରେ ସ୍ବାଗତ ମଧ୍ୟ କରିଛନ୍ତି । ଓଡିଶାର ପାରମ୍ପରିକ ଝୋଟି ଚିତା ଓ କଳା ମାଧ୍ୟମରେ ଗାଁକୁ ରଥକୁ ସ୍ବାଗତ କରିଥିଲେ । ଏହି ରଥ ଗ୍ରାମବାସୀଙ୍କୁ ସ୍ବାଧୀନତାର ସେଇ ପୁରୁଣା ଦିନ ଗୁଡିକର ଗୁରୁତ୍ବ ବିଷୟରେ ଅବଗତ କରାଉଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗର ଭୂମିକା
ଅହିଂସା ରଥ ପରିକ୍ରମାର ସଂଯୋଜନା କରୁଛି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ସ୍ତରରେ ଅଧିକାରୀ, ଶିକ୍ଷାକେନ୍ଦ୍ର ତଥା ଅନ୍ଯାନ୍ଯ ବିଭାଗ ସହ ସମନ୍ବୟ ରକ୍ଷା କରି ପରିକ୍ରମା କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ରାଜ୍ୟସ୍ତରରେ ଖୋଦ୍ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏହି ପରିକ୍ରମା ଅଭିଯାନର ସମୀକ୍ଷା କରୁଛନ୍ତି। ବିଭାଗର ବିଭିନ୍ନ ଅଧିକାରୀମାନେ ଏହି ଅଭିନବ ପ୍ରୟାସକୁ ସଫଳ କରିବା ପାଇଁ ଦୈନିକ ସଂଯୋଜନା କରୁଛନ୍ତି।












Click it and Unblock the Notifications