କୋଟିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ, 59 ପିଲାଙ୍କ ସହ ଆରମ୍ଭ ହେଲା ଶିକ୍ଷାଦାନ
କୋଟିଆ ଗ୍ରାମପଞ୍ଚାୟତରେ ଖୋଲିଲା ଆଦର୍ଶ ବିଦ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 59 ପିଲାଙ୍କୁ ନେଇ ଚଳିତ ଶିକ୍ଷାବର୍ଷରୁ ଶିକ୍ଷାଦାନ ଆରମ୍ଭ ହୋଇଛି ।
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରକୁ ଉନ୍ନତ ଓ ସମୃଦ୍ଧ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଛି ଆଦର୍ଶ ବିଦ୍ୟାଳୟ । ଏହି କ୍ରମରେ ଆଦିବାସୀ ଅଧ୍ୟୁସିତ ଜିଲ୍ଲା କୋରାପୁଟର ଶିକ୍ଷା ଚିତ୍ରକୁ ବଦଳାଇବା ପାଇଁ କୋଟିଆ ଗ୍ରାମପଞ୍ଚାୟତରେ ଖୋଲିଲା ଆଦର୍ଶ ବିଦ୍ୟାଳୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 59 ପିଲାଙ୍କୁ ନେଇ ଚଳିତ ଶିକ୍ଷାବର୍ଷରୁ ଶିକ୍ଷାଦାନ ଆରମ୍ଭ ହୋଇଛି । ପ୍ରଥମେ ଷଷ୍ଠ ଶ୍ରେଣୀରେ 59 ପିଲା ଆଡମିଶନ ନେଇଛନ୍ତି । ସେମାନଙ୍କ ରହିବା ଓ ଖାଇବା ପାଇଁ ମଧ୍ୟ ଗୋଟିଏ ହଷ୍ଟେଲ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ମାଗଣା ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି ।

ଏହି ଆଦର୍ଶ ବିଦ୍ୟାଳୟ କୋଟିଆ ଲୋକଙ୍କ ପାଇଁ ନୂତନ ଆଶା ଏବଂ ଆକାଂକ୍ଷା ଆଣିଛି । କୋରାପୁଟ କୋଟିଆ ଭଳି ଆଦିବାସୀ ଅଧ୍ୟୁସିତ ସ୍ଥାନରେ ଉଚ୍ଚମାନର ଶିକ୍ଷା ଏକ ସ୍ବପ୍ନ ହୋଇ ରହିଥିଲା । କୋଟିଆବାସୀଙ୍କ ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ରାଜ୍ୟ ସରକାର । ତେବେ ଏଥି ପାଇଁ ସାଧାରଣ ଲୋକଙ୍କଠୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଓଡିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ବର୍ଷ ଏପ୍ରିଲ୍ ମଧ୍ୟଭାଗରେ କୋଟିଆ ଗସ୍ତ ସମୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ଏହାର କାର୍ଯ୍ୟ ଶେଷ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ।












Click it and Unblock the Notifications