ଉପକୂଳବାସୀଙ୍କୁ ଅଧିକ ବିପର୍ଯ୍ୟୟ ସହନଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ିଭୁତ କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଜ୍ୟ ସରକାର ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା ସୋସାଇଟିର ଷ୍ଟିଅରିଂ କମିଟିରେ ୨୬୧.୫୦ କୋଟି ଟଙ୍କା ଆକଳନର ଏହି କାର୍ଯ୍ୟ ଯୋଜନାକୁ ଅନୁମୋଦନ ଦିଆଯାଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟ ଯୋଜନା ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ଯ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଏଥିପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ ସମୁଦାୟ ସହ ସିଧାସଳଖ ଆଲୋଚନା କରି ଲୋକମାନଙ୍କ ଆବଶ୍ୟକତା ଓ ସଂପୃକ୍ତ ଅଞ୍ଚଳର ସମ୍ବଳ ଅନୁସାରେ ନିରନ୍ତର ଜୀବିକା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଲଗାତାର ଭାବେ ଜଳବାୟୁ ଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଗ୍ରାମମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଥିରେ ସାମିଲ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।
ଉପକୂଳ ଅଞ୍ଚଳମାନଙ୍କରେ ମଙ୍ଗଳାଯୋଡ଼ି ଓ ଭିତରକନିକା ପରି ଅଧିକ ଇକୋ-ଟୁରିଜିମ୍ ଯୋଗ୍ୟ ସ୍ଥାନଗୁଡିକୁ ଚିହ୍ନଟ କରି ଗ୍ରାମ ସମୁଦାୟ ମାଧ୍ୟମରେ ସେଗୁଡିକର ବିକାଶ କରିବା ପାଇଁ ସେ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ସ୍ଥାନ ଗୁଡିକରେ ବୋଟିଂ, ବନ୍ୟଜନ୍ତୁ ଦର୍ଶନ ଓ ଫୁଡ଼କୋର୍ଟ ଆଦିର ସୁବିଧା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହା ସ୍ଥାନୀୟ ଲୋକମାନଙ୍କ ପାଇଁ ଏକ ନିରନ୍ତର ଜିବୀକା ପନ୍ଥା ଉନ୍ମୁକ୍ତ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ଲୁଣା ଜୁଆର ଏବଂ ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରିବ । ସୋସାଇଟିର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ଜଣାଇଥିଲେ ଯେ ଏହି ଯୋଜନା ଚଳିତ ବର୍ଷରୁ ଆରମ୍ଭ ହୋଇ ୨୦୨୬-୨୭ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ । ମୁଖ୍ୟତଃ ବାଲେଶ୍ୱର ଜିଲ୍ଲାର ତଳସାରୀ, କେନ୍ଦ୍ରାପଡାର ଭିତରକନିକା, ଗଂଜାମର ବାହୁଡା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଂଚଳ ଏଥିରେ ସାମିଲ ହେବ । ୩୩୯ ଗ୍ରାମ ପଂଚାୟତ ଏବଂ ୫ ଟି ବନ୍ୟଖଣ୍ଡ ଅନ୍ତର୍ଗତ ପ୍ରାୟ ୩,୭୫,୩୨୧ ହେକ୍ଟର ଉପକୂଳ ଅଂଚଳକୁ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କରାଯିବ । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କୃଷି ଏବଂ ନୂଆ ଜିବୀକା ପନ୍ଥା ସୃଷ୍ଟି କରି ଳୋକମାନଙ୍କୁ ଅଧିକ ସାହସୀ ଏବଂ ଆତ୍ମନିର୍ଭରଶୀଳ କରାଯିବ ।
ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପରିବେଶ ନିର୍ଦ୍ଦେଶକ ସୁଶାନ୍ତ କୁମାର ନନ୍ଦଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications