ରବି ଋତୁରେ ଚାଷୀଙ୍କୁ ମିଳିବ ୭୫୦୦ କୋଟି ଋଣ: ଜାଣନ୍ତୁ, କେଉଁ ଜିଲ୍ଲା ପାଇଁ କେତେ ?
ଚଳିତବର୍ଷ ରବି ଋତୁ ଲାଗି ସରକାରଙ୍କ ପକ୍ଷରୁ ୭୫୦୦କୋଟି ଟଙ୍କାର ଶସ୍ୟଋଣ ବଣ୍ଟାଯିବାକୁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପହିଲାରୁ ହେବାକୁ ରହିଥିଲା। ମାତ୍ର ରାଜ୍ୟରେ ଥିବା ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କୋର ବ୍ୟାଙ୍କିଂ ସୁବିଧା(ସିବି
ଭୁବନେଶ୍ୱର: ଚଳିତବର୍ଷ ରବି ଋତୁ ଲାଗି ସରକାରଙ୍କ ପକ୍ଷରୁ ୭୫୦୦କୋଟି ଟଙ୍କାର ଶସ୍ୟଋଣ ବଣ୍ଟାଯିବାକୁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପହିଲାରୁ ହେବାକୁ ରହିଥିଲା। ମାତ୍ର ରାଜ୍ୟରେ ଥିବା ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କୋର ବ୍ୟାଙ୍କିଂ ସୁବିଧା(ସିବିଏସ୍) ନଥିବା ଯୋଗୁଁ ଚାଷୀଙ୍କୁ ଋଣ ଦେବାରେ ଅସୁବିଧା ହେଉଥିଲା। ପୂର୍ବରୁ ବହୁ ଭୂତଚାଷୀ ଋଣ ହାତେଇ ଥିବାରୁ ଚଳିତବର୍ଷ ଏହାକୁ ସ୍ବଚ୍ଛତାର ସହ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏଥି ମଧ୍ୟରେ ବରଗଡ ଜିଲ୍ଲାପାଇଁ ସର୍ବାଧିକ ୬୫୦କୋଟି ଟଙ୍କାର ଋଣ ଥିବାବେଳେ ଏହା ପଛକୁ କେନ୍ଦ୍ରାପଡା ପାଇଁ ୬୦୦ କୋଟି ଟଙ୍କା ରହିଛି । ସେହିଭଳି ସୁନ୍ଦରଗଡ ପାଇଁ ୫୫୦କୋଟି, ଗଞ୍ଜାମ ପାଇଁ ୪୩୦, ଯାଜପୁର ପାଇଁ ୪୧୦, ବାଲେଶ୍ୱର ପାଇଁ ୪୦୦, ଖୋର୍ଧା ପାଇଁ ୩୯୦, କଟକ ପାଇଁ ୩୩୦ ଏବଂ ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ଋଣ ରହିଛି ।
ଅନୁରୂପ ଭାବେ ଅନୁଗୁଳ ଜିଲ୍ଲାକୁ ୨୮୦କୋଟିର ରବି ଋଣ ଦେବାପାଇଁ ସ୍ଥିର ହୋଇଥିବାବେଳେ ଢେଙ୍କାନାଳକୁ ୧୮୦କୋଟି, ଗଜପତିକୁ ୩୦କୋଟି, କଳାହାଣ୍ଡିକୁ ୧୫୦କୋଟି, ନୂଆପଡାକୁ ୫୦, ସୋନପୁରକୁ ୧୩୦, ବୌଦ୍ଦକୁ ୧୨୦, କନ୍ଧମାଳକୁ ୬୦, ଜଗତ୍ସିଂହପୁର ପାଇଁ ୨୦୦ କୋଟି, କେନ୍ଦୁଝର ପାଇଁ ୨୫୦, କୋରାପୁଟ ପାଇଁ ୧୭୦, ମାଲକାନଗିରି ପାଇଁ ୭୫ ଏବଂ ନବରଙ୍ଗପୁର ଜିଲ୍ଲାପାଇଁ ୧୩୦ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ।
ନୟାଗଡ ଜିଲ୍ଲାର ଚାଷୀମାନଙ୍କୁ ୨୩୦ କୋଟି ଟଙ୍କାର ଋଣ ବଣ୍ଟାଯିବାକୁ ଥିବାବେଳେ ରାୟଗଡାର ଚାଷୀଙ୍କୁ ୮୫କୋଟି, ମୟୁରଭଞ୍ଜ ଚାଷୀଙ୍କୁ ୨୮୦, ସମ୍ବଲପୁର ଚାଷୀଙ୍କୁ ୨୬୦, ଝାରସୁଗୁଡା ଚାଷୀଙ୍କୁ ୧୧୦, ଦେବଗଡ ଚାଷୀଙ୍କୁ ୧୧୦୦ ଏବଂ ପୁରୀ ଜିଲ୍ଲା ଚାଷୀଙ୍କୁ ୧୭୦ କୋଟିର ଋଣ ପ୍ରଦାନ କରାଯିବ ।
ସରକାରଙ୍କ ପକ୍ଷରୁ ୨୦୧୯-୨୦ରେ ରବି ଋତୁ ଲାଗି ୫୭୪୦କୋଟି ଟଙ୍କା ବଣ୍ଟନ କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୬୮୬୮କୋଟିକୁ ବୃଦ୍ଧି ପାଇଥିଲା। ସେହିପରି ୨୦୨୧-୨୨ବର୍ଷରେ ୬୫୦୦କୋଟି ଟଙ୍କା ଶସ୍ୟଋଣ ଚାଷୀଙ୍କୁ ଦେବାକୁ ରହିଥିବାବେଳେ ୭୩୬୨କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏହାକୁ ବଢ଼ାଯାଇ ୭୫୦୦କୋଟି ଟଙ୍କା ଶସ୍ୟ ଋଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ଏହି ସମସ୍ତ ଅର୍ଥ ବଣ୍ଟନ କରାଯିବାକୁ ରହିଥିବାବେଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସର୍ବାଧିକ ୧୩୫୦କୋଟି ଟଙ୍କା ବଣ୍ଟନ କରିବ। ସେହିପରି ସମ୍ବଲପୁର ସିସିବି ୧୧୨୦କୋଟି ଟଙ୍କା ବଣ୍ଟନ କରିବାକୁ ରହିଥିବାବେଳେ ବାଲେଶ୍ବର ସିସିବି ୭୦୦କୋଟି ଟଙ୍କା ବଣ୍ଟନ କରିବ। ବୌଦ୍ଧ ସିସିିବି ସର୍ବନିମ୍ନ ୧୮୦କୋଟି ଟଙ୍କା ବଣ୍ଟନ କରିବ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯିବ। ସମସ୍ତ ଶସ୍ୟ ଋଣ ଚାଷୀଙ୍କ ସଞ୍ଚୟ ବ୍ୟାଙ୍କ ଖାତାକୁ ଅନ୍ଲାଇନ ଜରିଆରେ ପ୍ରଦାନ କରାଯିବ। ଏହି ସମୟରେ ଚାଷୀଙ୍କ ଆଧାରକାର୍ଡ ସଂଲଗ୍ନ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କ୍ଷେତ୍ରରେ ଋଣ ପ୍ରଦାନରେ ଏହାର ବ୍ୟତିକ୍ରମ ହେବ ସେ କ୍ଷେତ୍ରରେ ଋଣ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ ଦାୟୀ ରହିବେ।












Click it and Unblock the Notifications