୫ ଆଇପିଏସଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି
ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅମିତାଭ ଠାକୁର, ଏସଡି ଦେବଦତ୍ତ ସିଂ, ରାଜେଶ କୁମାର ଓ ରବିକାନ୍ତ ଆସନ୍ତା ୨୦୨୩ ଜାନୁୟାରୀ ୧ରୁ ଏଡିଜି ପାହ୍ୟାକୁ ପଦୋନ୍ନତି ସହ ପେ- ସ୍କେଲ ଆଧାରରେ ଦରମା ପାଇବେ । ସେହି ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ତାଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କ୍ରିନିଂ କମିଟି ନିଷ୍ପତ୍ତି ଅନୁସାରେ ଏହି ଆଇପିଏସ୍ ଅଫିସରମାନଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି ।

ଶ୍ରୀ ଠାକୁର ଏବେ ଆଇଜି-ଅପରେସନ, ଶ୍ରୀ ଦେବଦତ୍ତ ସିଂ ଆଇଜି-ହେଡକ୍ୱାର୍ଟର, ରାଜେଶ କୁମାର ଆଇଜି-ରାଜ୍ୟ ଫୋରେନ୍ସିକ ସାଇନ୍ସ ଲ୍ୟାବ୍ ଭାବେ କାର୍ଯ୍ୟକରୁଥିବାବେଳେ ରବିକାନ୍ତ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଭାବେ କାର୍ଯ୍ୟରତ ।
୭ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି
ସେହିପରି ରାଜ୍ୟ ସରକାର ଆଜି ୨୦୦୭ ବ୍ୟାଚର ୭ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୭ ବ୍ୟାଚ୍ ଆଇଏଏସ୍ ରବୀନ୍ଦ୍ର ପ୍ରତାପ ସିଂ (ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ)ଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି ।
୨୦୦୭ ବ୍ୟାଚର ଅନ୍ୟ ୬ଜଣ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ, ବଳବନ୍ତ ସିଂ, ସଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ରଞ୍ଜନ କୁମାର ଦାସ ଓ ସଂଗ୍ରାମଜିତ୍ ନାୟକଙ୍କୁ ସୁପର ଟାଇମ ସ୍କେଲ(ପେ ମାଟ୍ରିକ୍ସ-ଲେଭଲ-୧୪)କୁ ପଦୋନ୍ନତି ମିଳିଛି । ଏହି ଅଫିସରମାନେ ଏବେ ନିର୍ଦ୍ଦେଶକ ଓ ଅତିରିକ୍ତ ସଚିବ ଭଳି ପଦବୀରେ କାର୍ଯ୍ୟରତ ଅଛନ୍ତି ।












Click it and Unblock the Notifications