ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: ସଜେଇ ହୋଇଛି ବାରବାଟୀ, ୪୦ ହଜାର ଦର୍ଶକଙ୍କ ହେବ ସମାଗମ

ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦଘାଟନ କରିବେ । ସମଗ୍ର ବିଶ୍ୱର ନଜର ରହିବ ବାରବାଟୀ ଷ୍ଟାଡିୟମ ଉପରେ ।

କଟକ: ଶେଷ ହୋଇଛି ହକି କାଉଣ୍ଟଡାଉନ୍ । ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦଘାଟନ କରିବେ । ସମଗ୍ର ବିଶ୍ୱର ନଜର ରହିବ ବାରବାଟୀ ଷ୍ଟାଡିୟମ ଉପରେ । କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି ।

Hockey World Cup Opening Ceremony

ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ । ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ବି ଜବରଦସ୍ତ ଡ୍ୟାନ୍ସ ପରଫର୍ମାନ୍ସ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ। ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍‌ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍‌କୁ ଆସିବେ। ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି। ଏମାନଙ୍କ ସହ ଓଡ଼ିଶାର ଅନେକ କଳାକାର ମଧ୍ୟ ଯୋଗ ଦେବାର କାର୍ଯକ୍ରମ ରହିଛି।

ଉଦଘାଟନୀ ଉତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍‌ର ବ୍ୟବସ୍ଥା ହୋଇଛି ।

ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ଜୌରଦାର୍ ଉଦ୍ୟମ ଚଳାଇଛନ୍ତି । ଏଥିରେ ସୋମ୍ୟାନସିପ୍‌, ବୈଷୟିକ ଓ ସଂସ୍କୃତିର ଅବିଶ୍ବସନୀୟ ପ୍ରଦର୍ଶନ କରାଯିବ । ଏହି ଉଦଘାଟନୀ ଉତ୍ସବର ନାମ 'ସେଲିବ୍ରେସନ' ରଖାଯାଇଛି। ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଞ୍ଜନ ରହିବ।

ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୦ ଅଫିସରଙ୍କ ସହ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ । ରିଙ୍ଗ ରୋଡରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ୍ ମିତ୍ର, ସ୍ୱେଛାସେବୀ ଓ କିଛି ଏନଜିଓଙ୍କ ସହଯୋଗ ନେବ ପୋଲିସ୍ ।

ଷ୍ଟାଡିୟମ୍‌‌ ଭିତରକୁ ପାଣି ବୋତଲ ନେଇ ଯାଇପାରିବେ ନାହିଁ ଦର୍ଶକ। ଅନ୍ତର୍ଜାତୀୟ ମ୍ୟାଚ୍‌‌ ସମୟରେ ଯେଉଁ ସବୁ କଟକଣା ଲାଗେ ଉଦ୍‌‌ଘାଟନୀ ଉତ୍ସବ ନିମନ୍ତେ ମଧ୍ୟ ସମାନ କଟକଣା ବଳବତ୍ତର ରହିବ । ପ୍ରତ୍ୟେକ ଗ୍ୟାଲେରୀରେ ଦର୍ଶକଙ୍କ ନିମନ୍ତେ ପାଣି ଟାଙ୍କି ଓ ଡିସ୍‌‌ପୋଜାଲ ଗ୍ଲାସ୍‌‌ ରହିବ। ବାହାରୁ ଖାଦ୍ୟ ନେଇ ଷ୍ଟାଡିୟମ୍‌‌ ଭିତରକୁ ଯାଇପାରିବେ ନାହିଁ । ପ୍ରତ୍ୟେକ ଗ୍ୟାଲେରୀରେ ଭେଣ୍ଡରଙ୍କ ଜରିଆରେ ଖାଦ୍ୟ ସାମଗ୍ରୀ ବିକ୍ରି କରାଯିବ।

ହକି ବିଶ୍ୱକପ ଉଦ୍‌ଘାଟନୀ ପାଇଁ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍‌ରେ ପାର୍କିଂ ବ୍ୟବସ୍ଥା ହୋଇଛି । ଏପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ ହାଉସ, ଉପର ବାଲିଯାତ୍ରା ଏବଂ ବାସ୍କେଟବଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି ।

ସେହିପରି ବିଶ୍ବକପ୍‌ ହକି ପାଇଁ ଏସସିବି ମେଡିକାଲରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଏସ୍‌ସିବି ପକ୍ଷରୁ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଗଠନ କରାଯିବା ସହ ୧୪ଟି ଆଇସିୟୁ ବେଡ୍‌, ୫୦ଟି ସାଧାରଣ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଏଥିସହ ଷ୍ଟାଡିୟମ୍‌ ପାଖରେ ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିବା ବେଳେ ଏଥିରେ ଏକ ଡାକ୍ତରି ଟିମ୍‌ ପ୍ରସ୍ତୁତ ହୋଇ ରହିବେ।

ସେହିପରି ଏସ୍‌ସିବି ଟ୍ରମା କାଜୁଆଲିଟିରେ ୧୪ଟି ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଚକ୍ଷୁ ବିଭାଗର ୩ୟ ଓ ୪ର୍ଥ ମହଲାରେ ଥିବା ୫୦ଟି ବେଡ୍‌ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି। ନିଶ୍ଚେତକ, ମେଡିସିନ୍‌, ସର୍ଜରି, ଅର୍ଥୋପେଡିକ୍‌, କାର୍ଡିଓଲୋଜି ବିଭାଗ ଡାକ୍ତରଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ଟ୍ରମା କାଜୁଆଲିଟିରେ ଉକ୍ତ ଟିମ୍‌ ପ୍ରସ୍ତୁତ ରହିବେ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ସେହିପରି ହକି ବିଶ୍ୱକପକୁ ନେଇ କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳକାୟ ବାଲୁକା କଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି ପାଇଁ ୫ ହଜାର ବଲ୍ ବ୍ୟବହାର କରାଯାଇଛି ।

ଅନ୍ୟପଟେ ଆଜି ରାଜ୍ୟ ତମାମ୍ ଦିନ ୧ଟାରୁ ବନ୍ଦ ରହିଛି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ । ପୂର୍ବରୁ କେବଳ କଟକ ଜିଲ୍ଲା ପାଇଁ ଦିନ ଦୁଇଟାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା ହୋଇଥିବା ବେଳେ ଏବେ ସାରା ରାଜ୍ୟରେ ଦିନ ଗୋଟାଏରୁ ସ୍କୁଲ ଛୁଟି ରହିଛି । ତେବେ ପିଲାମାନେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାକୁ ସ୍କୁଲ ଛୁଟି କରାଯାଇଥିବା କୁହାଯାଇଛି ।

ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+