କୁଆଖାଇ ଖାଇଲା ୪ ମୁଣ୍ଡ, ମିଳିଲା ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ
ଭୁବନେଶ୍ୱର: ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି । ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି । ଗାଧୋଇବାକୁ ଯାଇ ୪ଜଣ ଛାତ୍ର ପ୍ରାଣ ହରାଇଥିବା ଜଣାପଡ଼ିଛି । ଗତକାଲି ୨ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଆଉ ୨ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ । ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅବିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି ।

ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୯ ଜଣ ଛାତ୍ର ସାଙ୍ଗ ହୋଇ ଧବଳାହାରସ୍ଥିତ ନଦୀପଠା ଝାଉଁବଣରେ ଭୋଜି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହଷ୍ଟେଲକୁ ଫେରି ଆସିଥିଲେ । ଅନ୍ୟ ୮ ଜଣଙ୍କ ମଧ୍ୟରୁ ୫ ଜଣ ନଦୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଗାଧୋଇବା ବେଳେ ଅସାବଧାନତା ଯୋଗୁ ସମସ୍ତେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୪ ଜଣଙ୍କ ପତ୍ତା ମିଳିନଥିଲା । ଅଗ୍ନିଶମ ବାହିନୀ ଗତଦକାଲି ୨ ଜଣଙ୍କୁ ଏବଂ ଆଜି ସକାଳୁ ଅନ୍ୟ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା ।
ଅଗ୍ନିଶମବାହିନୀ, ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ ଏବଂ ଓଡ୍ରାଫ୍ର ୩୦ ଜଣ ଉଦ୍ଧାରକାରୀ ଟିମ୍ ସହାୟତାରେ ୨ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୨ ଜଣ ସ୍କୁବା ଡାଇଭର ମଧ୍ୟ ସାମିଲ ହୋଇଥିଲେ । ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ପିଟାଲକୁ ପଠାଯାଇଛି ।
ସୂଚନାଥାଉ କି, ଗତ ମେ' ୨୭ ତାରିଖ ଅପରାହ୍ଣରେ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ ଗତକାଲିର ଏହି ଘଟଣା ସମସ୍ତଙ୍କ ମନକୁ ଆହୁରି ଶୋକାକୁଳ କରିଦେଇଛି ।












Click it and Unblock the Notifications