ଖୋଲିଲା ହୀରାକୁଦ ଡ୍ୟାମର ୪ଟି ଗେଟ୍
ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଜି ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି ।
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ଆଜି ଡ୍ୟାମର ୪ଟି ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି । ଦିନ ୧୨ଟାରେ ସୁଦ୍ଧା ପର୍ଯ୍ୟାୟକ୍ରମେ ୪ଟି ଗେଟ୍ ଖୋଲିବା ନେଇ ସୂଚନା ଦିଆଯାଇଛି । ଉପରମୁଣ୍ଡରୁ ଜଳପ୍ରବେଶ ବଢିବା ସହ ଜଳସ୍ତର ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଡ୍ୟାମର ବାମ ପାର୍ଶ୍ବରୁ ୩ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍ ଖୋଲାଯାଇଛି । ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୬୨୯.୨୭ ଫୁଟରେ ପହଞ୍ଚିଲାଣି । ସେହିପରି ଉପରମୁଣ୍ଡରେ ବର୍ଷା ଥିବାବେଳେ ପ୍ରତି ସେକେଣ୍ଡରେ ୯୧ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସେପଟେ ଆଜି ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୧ ତାରିଖ ଯାଏ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, ବରଗଡ଼, କଳାହାଣ୍ଡି, କଟକ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେହିପରି ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୧ ଯାଏଁ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୭୨ ଘଣ୍ଟା ଯାଏଁ ରାଜ୍ୟରେ କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଚେତାବନୀ ଜାରି କରାଯାଇଛି ।












Click it and Unblock the Notifications