ବିଜୁ ଜୟନ୍ତୀ: ସେ ଥିଲେ ଝଡର ଇଗଲ, ଓଡିଆ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ
ସେ ଥିଲେ ଝଡର ଇଗଲ। ସେ ଥିଲେ କୋଟି କୋଟି ଓଡିଆଙ୍କ ପ୍ରାଣପ୍ରିୟ ନେତା। ସେଥିଲେ ଏକାଧାରରେ ରାଜନେତା, ସ୍ଵାଧୀନତା ସଂଗ୍ରାମୀ, ଯୁଦ୍ଧ ବିଶାରଦ ପାଇଲଟ, ବିଚକ୍ଷଣ ପ୍ରତିଭାର ଅଧିକାରୀ ତଥା ପ୍ରବାଦ ପୁରୁଷ। ଯାହାଙ୍କ ନାମ ସ୍ମରଣ ମାତ୍ରେ ଓଡିଆ ସ୍ଵାଭିମାନର ଶାଣିତ ସ୍ଵର ମନରେ ଗୁଞ୍ଜରିତ ହୁଏ, ସେ ଭୂମିପୁତ୍ର ବିଜୁ ବାବୁଙ୍କ ଆଜି ୧୦୬ତମ ଜୟନ୍ତୀ।
ଭୁବନେଶ୍ବର: ଆଜି ମହାନ ଜନନେତା, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ ତମ ଜୟନ୍ତୀ। ଓଡିଶାର ସବୁଠାରୁ ଲୋକପ୍ରିୟ ରାଜନେତା ଭାବରେ ପରିଗଣିତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାରେ ସମସ୍ତେ ସମ୍ବୋଧନ କରନ୍ତି ବିଜୁ ବାବୁ। ଝଡର ଇଗଲ, ଟାଲ ମ୍ୟାନ, ଭୂମି ପୁତ୍ର ତଥା ପ୍ରବାଦ ପୁରୁଷ ଭାବରେ ବେଶ ପରିଚିତ ବିଜୁ ବାବୁ। ତାଙ୍କର ସବୁଠାରୁ ବଡ ପରିଚୟ ହେଉଛି ସେ ଥିଲେ ସ୍ଵାଭିମାନୀ ଓଡିଆ। ଓଡିଶା ପାଇଁ ଅତ୍ୟନ୍ତ ସଂବେଦନଶୀଳ ତଥା ଗମ୍ଭୀର ଥିବା ବିଜୁ ବାବୁଙ୍କ ଜୀବନ ଥିଲା ଅତ୍ୟନ୍ତ ତ୍ୟାଗପୂର୍ଣ ଏବଂ ପ୍ରେରଣାପ୍ରଦ। ଆଧୁନିକ ଓଡିଶାର ଇତିହାସର ପୃଷ୍ଠା ଓଲଟାଇଲେ ଏମିତି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ବିଜୁ ବାବୁଙ୍କ ଅବଦାନର ସ୍ଵାକ୍ଷର ନଥିବ। ଶିଳ୍ପ, ସାହିତ୍ଯ, ଶିକ୍ଷା, ଭିତ୍ତିଭୂମି, ସଡକ, ବନ୍ଦର ଏବଂ ଏପରିକି ରେଳପଥ ଏହି ସମସ୍ତ କ୍ଷେତ୍ର ଆଜି ଯଦି ବିକାଶର ଧାରାରେ ଯୋଡି ହୋଇଛି, ତେବେ ସେଥିରେ ବିଜୁ ବାବୁଙ୍କ ଆଖି ଦୃଶିଆ ଅବଦାନ ରହିଛି।

୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ଆଶାଲତା ଦେବୀଙ୍କର କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ପୁତ୍ର ବିଜୟାନନ୍ଦ ପଟ୍ଟନାୟକ ଜନ୍ମ ହୋଇଥିଲା। ବିଜୁ ବାବୁ କଟକ ମିଶନ୍ ସ୍କୁଲ ଓ ରେଭେନ୍ସା କଲିଜିଏଟରେ ପାଠ ପଢ଼ି ୧୯୩୨ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ। ପିଲାଟିଦିନରୁ ସେ ନିର୍ଭୀକ, ଦୁଃସାହସିକ ଓ ଖେଳପ୍ରିୟ ଥିଲେ। ୧୯୩୫ରେ ବିମାନ ଚାଳନା ଶିକ୍ଷା ପାଇଁ ସେ ଦିଲ୍ଲୀ ଗଲେ। ଶିକ୍ଷା ପରେ ଲାଇସେନ୍ସ ପାଇ ଭାରତୀୟ ଜାତୀୟ ଏଆର୍ଓଏଜ୍ରେ ପାଇଲଟ୍ ଚାକିରି କଲେ। ପାଇଲଟ୍ ତାଲିମ ନେଉଥିବା ସମୟରେ ସେ ମହିଳା ସାଥି ଜ୍ଞାନଙ୍କୁ ଜାଣିଲେ। ରାଉଲପିଣ୍ଡିର ଶିଖ୍ ପରିବାରର ଝିଅ ଥିଲେ ଜ୍ଞାନ। ସେ ଦେଶରେ ପାଇଲଟ୍ ଲାଇସେନ୍ସ ପାଇବାରେ ପ୍ରଥମ ମହିଳା। ୧୯୩୯ରେ ଉଭୟଙ୍କର ବିବାହ ହେଲା। ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ବିଜୁ ପଟ୍ଟନାୟକ। ଉତ୍କଳର ମୁକୁଟ ବିହୀନ ସମ୍ରାଟ, କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଦେହାବସାନ ହୋଇଥିଲା ୧୯୯୭, ଏପ୍ରିଲ୍ ୧୭ ତାରିଖରେ।












Click it and Unblock the Notifications