ଝାଡ଼ଖଣ୍ଡରେ ଓଡ଼ିଆ ଯୁବକଙ୍କ ସଫଳତା; ଝାଡ଼ଖଣ୍ଡ ସରକାରଙ୍କ ପ୍ରତିନିଧି ଭାବେ ଫାର୍ମାସି କାଉନସିଲ୍ ଅଫ ଇଣ୍ଡିଆକୁ ମନୋନୀତ
ଝାଡ଼ଖଣ୍ଡରେ ଓଡ଼ିଆ ଯୁବକ ଡକ୍ଟର ପଦ୍ମଚରଣ ବେହାରାଙ୍କ ସଫଳତା । ଫାର୍ମାସି କାଉନସିଲ୍ ଅଫ ଇଣ୍ଡିଆରେ ପ୍ରତିନିଧିତ୍ୱ କରିବା ପାଇଁ ଝାଡ଼ଖଣ୍ଡ ସରକାର ତାଙ୍କୁ ମନୋନୀତ କରିଛନ୍ତି । ସେ ୫ ବର୍ଷ ପାଇଁ ଏହି ପଦବୀରେ ରହିବେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା ଗାଁର ନାରାୟଣ ବେହେରାଙ୍କ ସୁପୁତ୍ର ଡକ୍ଟର ପଦ୍ମଚରଣ ବେହେରା 60ରୁ ଅଧିକ ଆଶାୟୀଙ୍କୁ ପଛରେ ପକାଇ ଏହି ପଦବୀ ପାଇଁ ମନୋନୀତ ହୋଇଛନ୍ତି ।
ଫାର୍ମାସିକୁ ନେଇ ସାରା ଦେଶ ପାଇଁ ସମସ୍ତ ନୀତି ନର୍ଦ୍ଧାରଣ କରୁଥିବା ଫାର୍ମାସି କାଉନସିଲ୍ ଅଫ ଇଣ୍ଡିଆରେ ପ୍ରତ୍ୟେକ ରାଜ୍ୟରୁ ଜଣେ ଲେଖାଏଁ ପ୍ରତିନିଧି ରହିଥାନ୍ତି । ବ୍ରହ୍ମପୁର ଉପକଣ୍ଠ ମହୁଡ଼ାସ୍ଥିତ ଫାର୍ମାସୀ କଲେଜରୁ ବି. ଫାର୍ମା ଶେଷ କରିବା ପରେ ଡକ୍ଟର ପଦ୍ମଚରଣ ବେହେରା ଝାଡ଼ଖଣ୍ଡର ରାଞ୍ଚି ନିକଟ ମେଶ୍ରାରେ ଥିବା ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିରୁ ଏମ୍. ଫାର୍ମା ଏବଂ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ଫାର୍ମାସୀ କଲେଜରେ ୧୫ ବର୍ଷରୁ ଅଧିକ ସମୟ ଧରି ଶିକ୍ଷାଦାନ କରିଛନ୍ତି ।

ଫାର୍ମାସୀକୁ ନେଇ ଆୟୋଜିତ ବହୁ ଆଲୋଚନାଚକ୍ରରେ ଭାଗ ନେବା ସହ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିଛନ୍ତି । ଏହି ସଫଳତା ପାଇଁ ଝାଡ଼ଖଣ୍ଡ ସମେତ ଓଡ଼ିଶାର ବହୁ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଡକ୍ଟର ପଦ୍ମଚରଣ ବେହେରାଙ୍କ ବଡ଼ ଭାଇ ଡକ୍ଟର ରଞ୍ଜନ କୁମାର ବେହେରା ଆଇଆଇଟି-ପାଟନାରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।












Click it and Unblock the Notifications