ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ
ରାଜ୍ୟରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) । ଏନେଇ ସୂଚନା ଦେଇଛନ୍ତି EOW ଏସପି ।
ଭୁବନେଶ୍ୱର: ରାଜ୍ୟରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) । ଏନେଇ ସୂଚନା ଦେଇଛନ୍ତି EOW ଏସପି । ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରି ଜେରା କରୁଛି ଇଓଡବ୍ଲୁ ।

EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଦିଲ୍ଲୀର ଜଣେ ବ୍ୟବସାୟୀ EOW ପାଖରେ ଏହି ଅଭିଯୋଗ କରିଛନ୍ତି । ଇଓଡ଼ବ୍ଲ୍ୟୁ ଓ କମିଶନରେଟ୍ ପୋଲିସରେ ଅର୍ନ୍ଧେନ୍ଦୁ ଦାସଙ୍କ ନାଁ ୪ଟି ମାମଲା ରହିଛି । ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ଠକେଇ କରିଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା ।
ଦିଲ୍ଲୀର ବ୍ୟବସାୟୀ ଗଗନଦୀପ ସିଂ ଚାୱଲା ଏନେଇ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ଟିଭି ଚ୍ୟାନେଲ ଖୋଲିବାକୁ ୨୦୨୦ରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦୁତିକ ସରଂଜାମ ଯୋଗାଇଦେବା ପାଇଁ ୧ କୋଟି ୪୭ ହଜାର ୭୦ ଟଙ୍କାରେ ଚୁକ୍ତି ହୋଇଥିଲା । ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ଚୁକ୍ତି ଅନୁସାରେ ଗଗନଦୀପ ସିଂ ଚାୱଲାଙ୍କ ସଂସ୍ଥା ୨୦୨୦ ଅକ୍ଟୋବରରୁ ନିର୍ଦ୍ଧାରିତ ଟଙ୍କାର ଯନ୍ତ୍ରାଂଶ ପଠାଇ ଚାଲିଥିଲା । ୬ ମାସ ମଧ୍ୟରେ ବାକିଥିବା ଟଙ୍କା ପୈଠ କରିବାକୁ ନିଷ୍ପତି ହୋଇଥିଲା । ୨୦ ମାସ ବିତି ଯାଇଥିଲେ ମଧ୍ୟ ଟଙ୍କା ନପାଇବାରୁ ବାଧ୍ୟ ହୋଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ।
ସେପଟେ ଦୁଇ ଦିନ ପୂର୍ବେ ଠକେଇ ଅଭିଯୋଗ ନେଇ ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସେ କହିଥିଲେ, ଚ୍ୟାନେଲ କାମରେ ବାହାରେ ଅଛନ୍ତି । EOWର ସମନ୍ ପାଇ ତୁରନ୍ତ ଚିଠି ଲେଖି ଜଣାଇଥିଲେ। ରଥଯାତ୍ରା ପରେ ଦେଖା କରିବେ ବୋଲି କହିଥିଲେ। ହେଲେ EOW ପୁଣି ତାଙ୍କୁ ସମନ୍ କରିଥିଲା। ଏନେଇ ତାଙ୍କ ଓକିଲ EOWକୁ ଜଣାଇଥିଲେ। ଏହାସହ କେବେ କାହାକୁ ଠକିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଅର୍ଦ୍ଧେନ୍ଦୁ କହିଥିଲେ।
ସେହିପରି ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଛି। କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।












Click it and Unblock the Notifications