ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ପୀଡ଼ିତା ଡାକ୍ତରୀ ଛାତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ପୀଡ଼ିତା ଡାକ୍ତରୀ ଛାତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ। ପୀଡ଼ିତାଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚିନ୍ତା କରନି, ଧୈର୍ଯ୍ୟ ଧର, ଓଡ଼ିଶା ସରକାର ତୁମ ସହିତ ଅଛନ୍ତି ।
ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବେ କହିଲେ ମୁଖ୍ୟମନ୍ତ୍ରୀ। ପାଠ ପଢ଼ିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ପୀଡ଼ିତାଙ୍କ ମାଆଙ୍କ ସହ ବି କଥା ହେଲେ ମୁଖ୍ୟମନ୍ତ୍ରୀ ।
ପୀଡ଼ିତାଙ୍କ ମା'ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଘଟଣାରେ ସଂପୃକ୍ତ ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ ସେଥିପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି। ସେହିପରି ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ପୀଡ଼ିତାକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ସହ ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ।

ଘଟଣାରେ ସମ୍ପୃକ୍ତ ସମସ୍ତ ୫ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଜଣେ ଅଭିଯୁକ୍ତଙ୍କ ବାପା ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ବୋଲି ଜଣାପଡ଼ିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ପୀଡ଼ିତାଙ୍କୁ ଭେଟିଛନ୍ତି। ଓଡ଼ିଶାରୁ ଯାଇଥିବା ମହିଳା କମିସନଙ୍କ ଏକ ଟିମ୍ ମଧ୍ୟ ଘଟଣା ଉପରେ ନଜର ରଖିଛି।
ହସ୍ତଗତ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ପୁଲିସ ରବିବାର ଦିନ ସେକ୍ ରିଆଜୁଦ୍ଦିନ, ସେକ୍ ଫିରଦୋସ ଓ ଅପୁ ବାଉରୀକୁ ଗିରଫ କରିଥିଲା। ସେମାନଙ୍କୁ ଦୁର୍ଗାପୁର ଅଦାଲତରେ ହାଜର କରାଇବା ପରେ ୧୦ ଦିନିଆ ରିମାଣ୍ଡରେ ନେଇଥିଲା ପୁଲିସ। ଆଜି ସକାଳେ ସେକ୍ ନାସିରୁଦ୍ଦିନ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ନାସିରୁଦ୍ଦିନ ଦୁର୍ଗାପୁର ନଗର ନିଗମର ବିଦ୍ୟୁତ୍ ବିଭାଗରେ ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା। ତାର ବାପା ତୃଣମୂଳ କଂଗ୍ରେସର ଜଣେ କର୍ମକର୍ତ୍ତା ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ସେଠାକାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ସେହିପରି ମଧ୍ୟାହ୍ନ ସମୟରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସେକ୍ ସଫିକୋଲକୁ ଗୋପାଳମାଟେ ଅଞ୍ଚଳରୁ ଗିରଫ କରାଯାଇଛି। ନାସିରୁଦ୍ଦିନ ଓ ସଫିକୋଲକୁ ଅପରାହ୍ଣରେ କୋର୍ଟରେ ହାଜର କରାଇବା ପରେ ପୁଲିସ ରିମାଣ୍ଡରେ ନେଇଛି। ଗିରଫ ହୋଇଥିବା ୫ ଅଭିଯୁକ୍ତ ପୂର୍ବରୁ କୌଣସି ଆପରାଧିକ ମାମଲାରେ ସମ୍ପୃକ୍ତ ଥିଲେ କି ନାହିଁ ସେନେଇ ପୁଲିସ ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କ ପୁରୁଷ ବନ୍ଧୁ ୱାସିଫ ଅଲ୍ଲୀ ଗତ ୩ ଦିନ ହେଲା ପୁଲିସ ହେପାଜତରେ ଅଛନ୍ତି। ଏହି ମାମଲାରେ ୱାସିଫ୍ଙ୍କ ସମ୍ପୃକ୍ତି ଅଛି କି ନାହିଁ ପୁଲିସ ସେନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ଦୁଷ୍କର୍ମ ପୂର୍ବରୁ ପୀଡ଼ିତାଙ୍କ ସହ ଜଙ୍ଗଲ ରାସ୍ତାରେ ଚାଲିଚାଲି ଯାଉଥିବା ୱାସିଫଙ୍କ ବୟାନ ସହ ୫ ଅଭିଯୁକ୍ତଙ୍କ ବୟାନ ମେଳ ଖାଉଛି କି ନାହିଁ ଜାଣିବା ପାଇଁ ପୁଲିସ ଏହି ୬ ଜଣକୁ ସାମନା ସାମନି ଜେରା କରିବ ବୋଲି ଦୁର୍ଗାପୁର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ପାଇଁ ଦୁର୍ଗାପୁର ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି ପାରାନଗଞ୍ଜ ଜଙ୍ଗଲର ଗଣଦୁଷ୍କର୍ମ ଘଟିଥିବା ସ୍ଥାନକୁ ନେବ ବୋଲି ଜଣାପଡ଼ିଛି।
ଜଣେ ଅଭିଯୁକ୍ତର ବାପା ଟିଏମ୍ସି କର୍ମକର୍ତ୍ତା
ପୀଡ଼ିତାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ଦୁର୍ଗାପୁରରେ ଓଡ଼ିଶା ମହିଳା କମିସନ୍ ଟିମ୍
ଅନ୍ୟପକ୍ଷରେ, ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଦୁର୍ଗାପୁରରେ ପୀଡ଼ିତାଙ୍କ ବାପାମାଆଙ୍କୁ ଭେଟିଥିଲେ। ଏହାପରେ ଦୁର୍ଗାପୁର ସିଟି ସେଣ୍ଟରଠାରେ ବିଜେପି ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗର ଏସ୍ୟୁସିଆଇ କାର୍ଯ୍ୟକର୍ତ୍ତାମାନେ ଆଜି ପୀଡ଼ିତା ଚିକିତ୍ସିତ ହେଉଥିବା ମେଡିକାଲ କଲେଜ ଭିତରକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଏକ ରିପୋର୍ଟ ମାଗିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟ ପ୍ରମୁଖ ସଚିବ ନାରାୟଣ ସ୍ୱରୂପ ନିଗମ। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ମିଳିବା ପରେ ସେହି ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନିଗମ କହିଛନ୍ତି। ଜାତୀୟ ମହିଳା କମିସନ୍ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।
ଏହି ଘଟଣାରେ ମମତା ସରକାରଙ୍କ ଉପରେ ଚାପ ବଢ଼ୁଛି। ତେଣୁ ସରକାର ମଧ୍ୟ ବିଭିନ୍ନ ଦିଗରୁ ତଦନ୍ତକୁ ତ୍ବରାନ୍ବିତ କରୁଥିବା କୁହାଯାଉଛି। ଏପରିସ୍ଥିତିରେ ଆଜି ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଦୁର୍ଗାପୁର ଗସ୍ତ କରି ପୀଡ଼ିତାଙ୍କ ବାପାମାଙ୍କୁ ଭେଟିଛନ୍ତି। ପୀଡ଼ିତାଙ୍କ ଚିକିତ୍ସା ସହ ସୁରକ୍ଷା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।












Click it and Unblock the Notifications