Odia Journalism Day: ଆଜି ଓଡ଼ିଆ ସାମ୍ବାଦିକତା ଦିବସ; ଅଗଷ୍ଟ ୪ରେ କାହିଁକି ହୁଏ ପାଳନ ?
ଆଜି ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନକୁ ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ଜନ୍ମ ନେଇଥିଲା ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ସମ୍ବାଦପତ୍ର 'ଉତ୍କଳ ଦୀପିକା'। ୧୮୬୬ ମସିହା ଅଗଷ୍ଟ ୪ ତାରିଖ ଦିନ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ମିଳିତ ସହଯୋଗରେ ଏକ ସାପ୍ତାହିକ ଖବର କାଗଜ ଭାବେ ଉତ୍କଳ ଦୀପିକା ମୁଦ୍ରିତ ହୋଇଥିଲା। ଆଉ ସେହିଦିନ ପଡ଼ିଥିଲା ଓଡ଼ିଆ ସମ୍ବାଦପତ୍ରର ମୂଳଦୁଆ ।
ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଜନମତ ସୃଷ୍ଟି କରିବାରେ ଉତ୍କଳ ଦୀପିକାର ଥିଲା ପ୍ରଧାନ ଭୂମିକା। ଉତ୍କଳ ଦୀପିକା ମାଧ୍ୟମରେ ହିଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ଗଣମାଧ୍ୟମ କିଭଳି ଭାବେ ଦାୟିତ୍ୱ ନେଇ ସମାଜକୁ ସୁଧାରିପାରେ ତାହା ଉତ୍କଳ ଦୀପିକା ହିଁ ପ୍ରଥମେ ଶିଖାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ନାନା ସମସ୍ୟା ଯୋଗୁ ୧୯୩୬ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା। ଏଥିସହ ନିରବି ଯାଇଥିଲା ପ୍ରଥମ ଓଡ଼ିଶା ସମ୍ବାଦପତ୍ରର ସ୍ୱର।

ହିକି 'ବେଙ୍ଗଲ୍ ଗେଜେଟ୍' ପ୍ରକାଶ କରିଥିଲେ ଜାନୁଆରୀ ୨୯, ୧୭୮୦ ମସିହାରେ । ସେଇ ଦିନଟିକୁ ଆମେ 'ଭାରତୀୟ ଖବରକାଗଜ ଦିବସ' ବୋଲି ପାଳନ କରୁ । ସାରା ଭାରତରେ ଏହା ପାଳନ କରାଯାଏ । ସେମିତି ଅଲଗା ଭାଷାରେ ବି ନିଜସ୍ୱ ଖବରକାଗଜ ଦିବସ ବା ସାମ୍ବାଦିକତା ଦିବସ ରହିଛି । ପ୍ରତିବର୍ଷ ମଇ ମାସ ୩୦ ତାରିଖକୁ 'ହିନ୍ଦୀ ପତ୍ରକାରିତା ଦିବସ' ଭାବେ ପାଳନ କରାଯାଏ । ୧୮୨୬ ମସିହା ମଇ ୩୦ ତାରିଖରେ ପ୍ରଥମ ହିନ୍ଦୀ ଖବରକାଗଜ 'ଉଦଣ୍ଡ ମାର୍ତ୍ତଣ୍ଡ' ପ୍ରକାଶନ ଆରମ୍ଭ ହୋଇଥିଲା ।
ସେହିପରି ୬ ଜାନୁଆରୀ, ୧୯୩୨ ମସିହାରେ ପ୍ରଥମ ମରାଠୀ ଖବରକାଗଜ 'ଦର୍ପଣ' ପ୍ରକାଶ ପାଇଥିଲା । ସେହିଦିନଟି ମରାଠୀ ସାମ୍ବାଦିକତା ଦିବସ ଭାବେ ପାଳିତ ହୁଏ । କୋଙ୍କଣୀ ସାମ୍ବାଦିକତା ଦିବସ ପାଳନ କରାଯାଏ ଫେବୃୟାରୀ ମାସ ୨ ତାରିଖରେ । ଆମେ ବି ଆଗୁଆ ଯାତ୍ରା ଆରମ୍ଭ କରିଥିଲେ ବି ଇତିହାସର ସେଇ ପହିଲି ଦିନଟିକୁ ପାସୋରି ଦେଇଛୁ ।
'କୁଜିବର ପତ୍ର'ରୁ ଆରମ୍ଭ ହୋଇଥିଲା ଓଡ଼ିଆ ସାମ୍ବାଦିକତାର ଯାତ୍ରା। କଟକ ଚୌଦ୍ବାର ନିକଟ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ 'କୁଜିବର ପତ୍ର' ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ କରିଥିଲେ। ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ଅବଗତ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ସମୟ ସହିତ ତାଳଦେଇ ସାମ୍ବାଦିକତା ଧାରା ଏବେ ଡିଜିଟାଲରେ ପହଞ୍ଚତ୍ଛି ସତ, ମାତ୍ର କୁଜିବର ପତ୍ର ତା'ର ସ୍ବର୍ଣ୍ଣିମ ଇତିହାସ ବହନ କରି ଚାଲିଛି। ତେବେ କୁଜିବର ପତ୍ର ପରେ ପ୍ରଥମ ଛାପା ପତ୍ରିକା ଭାବେ ୧୮୪୯ରେ 'ଜ୍ଞାନାରୁଣ' ପତ୍ରିକା ପ୍ରକାଶ ପାଇଥିଲା।
ପରବର୍ତ୍ତୀ ସମୟରେ ୧୮୫୬ରେ 'ପ୍ରବୋଧ ଚନ୍ଦ୍ରିକା' ଏବଂ ୧୮୬୧ରେ 'ଅରୁଣୋଦୟ' ନାମରେ ଆଉଏକ ପତ୍ରିକା ପ୍ରକାଶିତ ହୋଇଥିଲା। ହେଲେ ମାତ୍ର ୩ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ଉକ୍ତ ୩ଟି ପତ୍ରିକା ପ୍ରକାଶନ ବନ୍ଦ ହୋଇଯାଇଥିଲା। ତା'ପରେ ୧୮୭୩ରେ 'ଉତ୍କଳ ଦର୍ପଣ' ନାମରେ ମାସିକ ପତ୍ରିକା ବାଲେଶ୍ବରରୁ ପ୍ରକାଶିତ ହୋଇଥିଲା। ଓଡ଼ିଆ ଭାଷାରେ ଏହା ହେଉଛି ପ୍ରଥମ ସାହିତ୍ୟ ମାଗାଜିନ୍। ଏହାପରେ ୧୮୭୮ରେ 'ଉତ୍କଳ ମଧୁପ', ୧୮୮୫ରେ 'ପ୍ରଦୀପ' ପତ୍ରିକା ଖୁବ୍ କମ୍ ଦିନ ପାଇଁ ପ୍ରକାଶ ପାଇଥିଲା। ତେବେ ୧୮୯୭ରେ ପ୍ରକାଶିତ 'ଉତ୍କଳ ସାହିତ୍ୟ ପତ୍ରିକା' ଓଡ଼ିଆ ସାହିତ୍ୟରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିବା ଏକାଧିକ ପତ୍ରିକା ୧୯୦୬ରେ 'ମୁକୁର', ୧୯୧୫ରେ 'ସତ୍ୟବାଦୀ', ୧୯୨୦ରେ 'ଆହାକାର', ୧୯୩୪ରେ 'ନବଭାରତ' ଆଦି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସହ ସାମ୍ବାଦିକତା କ୍ଷେତ୍ରକୁ ରୁଦ୍ଧିମନ୍ତ କରିବାରେ ବେଶ୍ ସହାୟକ ହୋଇଥିଲା।
ପ୍ରଥମ ଓଡ଼ିଆ ଖବର କାଗଜ
୧୮୬୬ ଅଗଷ୍ଟ ୪ ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ ଭାବେ ଉଭା ହୋଇଥିଲା। ଏହିଦିନ ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ 'ଉତ୍କଳ ଦୀପିକା' ଆତ୍ମପ୍ରକାଶ କରିଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଥିଲେ। ପ୍ରଥମେ ଏହା ସାପ୍ତାହିକ ଏବଂ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା, ଯାହା ଓଡ଼ିଆ ସାମ୍ବାଦିକତା ଓ ଖବରକାଗଜ ପ୍ରକାଶନର ନୂଆ ଯୁଗ ଆରମ୍ଭ କରିଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି।












Click it and Unblock the Notifications