ଭୁବନେଶ୍ୱରରେ ପହଁଞ୍ଚିଲା ସହିଦ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ ଅନର
ଭୁବନେଶ୍ୱର:ଜାମ୍ମୁ କାଶ୍ମୀରର ପୁଞ୍ଝଠାରେ ଆତଙ୍କବାଦୀ ଆକ୍ରମଣରେ ସହୀଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ପାର୍ଥିବ ଶରୀର ଆଜି ଓଡ଼ିଶାର ପହଞ୍ଚିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ମର ଶରୀରକୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ଏହା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ପୁରୀ ସତ୍ୟବାଦୀ ଗାଁକୁ ନିଆଯିବ ।
ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ଓ ବିଭିନ୍ନ ସେନାଧିକାରୀ ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀରର ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଛନ୍ତି ।
ବୀର ପୁଅର ବିୟୋଗରେ ପରିବାର ସହ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁକମ୍ପା ରାଶି ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁ ଖବର ପରିବାର ସହ ସାରା ଗ୍ରାମରେ ଶୋକର ଲହରୀ ଖେଳାଇଦେଇଛି । ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି ।












Click it and Unblock the Notifications