ଓଡ଼ିଶା ପିଲା କାହା ଠାରୁ କମ୍ ନୁହଁନ୍ତି: ମୁଖ୍ୟମନ୍ତ୍ରୀ
ଓଡ଼ିଶା ପିଲା କାହା ଠାରୁ କମ୍ ନୁହଁନ୍ତି: ମୁଖ୍ୟମନ୍ତ୍ରୀ
ସର୍ଗିଫୁଲ ମହୋତ୍ସବ: ଅନୁସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକଶିକ କରିବା ପାଇଁ ୧୦ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି 'ସର୍ଗିଫୁଲ୍ ମହୋତ୍ସବ' । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଭବନେଶ୍ୱର ଆଦିବାସୀ ପଡିଆରେ ନିଜ ପ୍ରତିଭା ଦେଖାଇବା ପାଇଁ ଏକାଠି ହୋଇଛନ୍ତି କୁନି କୁନି ପିଲା ।

ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ ଓ ଜୀବନରେ ପ୍ରତିଷ୍ଠା ଲାଭ କର, ତୁମେମାନେ ସଫଳତା ପାଇଁ ଉଦ୍ୟମ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ତୁମମାନଙ୍କ କାର୍ଯ୍ୟକ୍ରମରେ ମୁଁ ପ୍ରତିବର୍ଷ ଯୋଗ ଦେଉଛି ଏବଂ ତୁମ ଖୁସିରେ ମଧ୍ୟ ସାମିଲ ହେଉଛି । ବିଶିଷ୍ଟ କ୍ରୀଡାବିତ୍ ଦିଲ୍ଲୀପ ତୀର୍କିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ସେ ଜଣେ ଓଡ଼଼ିଆ ପୁଅ । ନିଜ ଦକ୍ଷତା ଓ ପରିଶ୍ରମ ପାଇଁ ସେ ଭାରତୀୟ ହକି ଟିମ୍ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି। ଯୁବ ସମାଜ ପାଇଁ ସେ ଜଣେ ରୋଲମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମାଟ୍ରିକ ପରୀକ୍ଷାରେ କୃତୀତ୍ବର ସହ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ।
ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ତାଙ୍କ ଅଭିଭାଷଣରେ ଜନଜାତି ପିଲା ମାନଙ୍କ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍ର ଡିଜିଟାଲ ଲୋକାର୍ପଣ କରିଥିଲେ । ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।












Click it and Unblock the Notifications