ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର; ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ
ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ। ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସୂଚନା । ସାଢ଼େ ୧୧ଟା ସୁଦ୍ଧା ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ହେବ ଶେଷ ଦର୍ଶନ ।
ତେବେ ଗତକାଲି ୧୦ଟା ୪୫ ରେ ବେଳେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ଲିଭର ଶିରୋସିସ ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ ଥିଲେ । ଗତକାଲି କାର୍ଡିଆକ ଆରେଷ୍ଟ ହୋଇଥିଲା ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ଅଭିନେତା ରବି ମିଶ୍ର । ସତ୍ୟନଗରରେ ହେବ ଶେଷକୃତ୍ୟ କହିଛନ୍ତି ପ୍ରଯୋଜକ ରବୀନ୍ଦ୍ରନାଥ ପଣ୍ଡା । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
'ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ'
ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ଲେଖିଛନ୍ତି, '' ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି । ଓଡ଼ିଆ ଜନମାନସରେ ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି । ଓଡ଼ିଶା ଜଣେ ଯୋଗଜନ୍ମାଙ୍କୁ ହରାଇଲା । ସେ ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ''

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଟ୍ବିଟ କରି ଲେଖିଛନ୍ତି, ''ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ମୋତେ ଅତ୍ୟନ୍ତ ବ୍ୟଥିତ କରିଛି । ତାଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି । ''












Click it and Unblock the Notifications