ଓଡିଶାରେ ଆରମ୍ଭ ହେଲା ଓବିସି ସର୍ଭେ: ପ୍ରଥମ ଦିନରେ ୨୫ ହଜାର ପରିବାର ସାମିଲ
ଭୁବନେଶ୍ୱର: ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି ଓବିସି ସର୍ଭେ । ମେ' ୧ରୁ ଆରମ୍ଭ ହୋଇଥିବା ଏହି ସର୍ଭେ ମେ' ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶରେ ବିହାର ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ ଏହି ସର୍ଭେ ଆରମ୍ଭ କରିଛି ।
ପ୍ରଥମ ଦିନରେ ରାଜ୍ୟବ୍ୟାପୀ ପ୍ରାୟ ୨୫ହଜାର ପଛୁଆ ବର୍ଗ ପରିବାର ଏହି ସର୍ଭେରେ ସାମିଲ ହୋଇ ନିଜ ନିଜର ତଥ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି । ସାରା ରାଜ୍ୟରେ ଏହି ସର୍ଭେ ଚାଲିଛି । ଭୁବନେଶ୍ୱରର ଆଜି ୭୦ ସ୍କୁଲର ୧୦୧ଟି ସେଣ୍ଟରରେ ଏହି ସର୍ଭେ କରାଯାଇଛି । ଭୋଟର ଆଇକାର୍ଡରୁ ନେଇ ପାସପୋର୍ଟ, ପ୍ୟାନ କାର୍ଡ ଓ ଆଧାର କାର୍ଡ ଯେକୌଣସି ଗୋଟିଏ ପ୍ରମାଣ ପତ୍ର ଦେଇ ସର୍ଭେରେ ନିଜକୁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ । ୨୦୮ ଜାତି ଏହି ସର୍ଭେରେ ସାମିଲ ହୋଇଛନ୍ତି । ରାଜ୍ୟର ମୋଟ ୩୧୪ ବ୍ଲକ ଏବଂ ୧୧୪ ଟି ନଗର ନିଗମରେ ସର୍ଭେ ଚାଲିଛି ।

ପ୍ରତିଦିନ ସକାଳ ୧୦ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରବିବାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ କରାଯିବ । ଛୁଟି ଦିନଗୁଡ଼ିକରେ ବି ସର୍ଭେ କାର୍ଯ୍ୟ ଜାରି ରହିବ । ସର୍ଭେ ସେଣ୍ଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି ସାମଗ୍ରୀ ବଂଣ୍ଟନ କେନ୍ଦ୍ର ବା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳି ପାରିବ ।
ଏହି ସର୍ଭେ ପାଇଁ ନିଜ ନିଜର ତଥ୍ୟକୁ ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ଅନଲାଇନ୍ ମାଧ୍ୟମରେ ଦିଆଯାଇ ପାରିବ । ଅନଲାଇନ୍ ମାଧ୍ୟମରେ ନିଜ ମୋବାଇଲ, ଡେସ୍କଟପ୍ ଅବା ଲାପଟପ୍ ବ୍ୟବହାର କରି ଓଡ଼ିଶା ରାଜ୍ୟ ଓବିସି ପୋର୍ଟାଲକୁ ବିନା ମୂଲ୍ୟରେ ତଥ୍ୟ ପ୍ରଦାନ କରିହେବ । ପରିବାରର ମୁଖ୍ୟ କିମ୍ବା ସଦସ୍ୟ ମଧ୍ୟ ସର୍ଭେ କେନ୍ଦ୍ରକୁ ଯାଇ ନିଜ ଓ ପରିବାର ସଦସ୍ୟମାନଙ୍କ ତଥ୍ୟ ପ୍ରଦାନ କରିପାରିବେ ।
ତେବେ ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସମାଜିକ ସ୍ଥିତି ଜାଣିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଉଛି । ଯେଉଁ ପଛୁଆ ବର୍ଗଙ୍କ ରାସନ କାର୍ଡ ନାହିଁ ସେମାନଙ୍କର ତଥ୍ୟ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ । ଗାଁ ଓ ସହରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ , ଅନ୍ୟ ସରକାରୀ ଅଧିକାରୀମାନେ ସର୍ଭେରେ ନିୟୋଜିତ ହେବେ । କିଛି ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କୁ ଏନୁମେଟର ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି ।
ତେବେ ଓବିସି ଗଣନାକୁ ତ୍ରୁଟିଯୁକ୍ତ କହି ବିଜେପି ବର୍ଷିଥିବାବେଳେ ରାଜ୍ୟ ସମାଜବାଦୀ ପାର୍ଟି ଏହାକୁ ପଛୁଆବର୍ଗଙ୍କ ଜନଗଣନା ନୁହେଁ ବରଂ ଏସଇବିସି ରେଜିଷ୍ଟ୍ରେସନ୍ ବୋଲି କଟାକ୍ଷ କରିଛି । ଅନ୍ୟପଟେ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହେଉଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଂଟରରେ ତଥ୍ୟ ଦାଖଲ କରାଯାଉଛି । ବିରୋଧୀ କିଏ କ'ଣ ଅଭିଯୋଗ କଲେ ସେଥିରେ କଛି ଯାଏ ଆସେ ନାହିଁ ।












Click it and Unblock the Notifications