ଆନ୍ଦୋଳନରେ ନର୍ସ: ସାରା ରାଜ୍ୟରେ ପ୍ରଭାବିତ ସ୍ୱାସ୍ଥ୍ୟସେବା
Odisha News: ରାଜ୍ୟରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଯାହା ପ୍ରଭାବ ରୋଗୀ ସେବା ଉପରେ ପଡିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁରରେ ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ଜାରି ରହିଛି । ଯାହା ଫଳରେ ସ୍ୱାସ୍ଥ୍ୟ ସେବା ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରୋଗୀସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି ।

୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ ଆଦି ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଉଛି ।
ସୂଚନାଥାଉ ଯେ, ବୁଧବାର ସ୍ବାସ୍ଥ୍ୟ ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାକୁ ନେଇ ସଂଘ ସନ୍ତୁଷ୍ଟ ନ ଥିବା କହିଛି । ତେଣୁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରି ଆଲୋଚନା କରିବାକୁ ଦାବି କରାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ଆସିବାକୁ ସଂଘ ଆହ୍ବାନ କରିଛି । ବାରମ୍ବାର ଦାବି ସତ୍ତ୍ୱେ ପଦକ୍ଷେପ ନିଆଯାଉ ନ ଥିବାରୁ ଏବେ ଯାହା ପରିଣାମ ହେବ ସେ ନେଇ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପଟେ ୩ ଦିନ ହେବ ନର୍ସିଂ କର୍ମଚାରୀ କାର୍ଯ୍ୟବନ୍ଦ କରିଥିବାରୁ ରାଜ୍ୟର ବିଭିନ୍ନ ମେଡିକାଲରେ ରୋଗୀ ସେବା ବ୍ୟାହତ ହୋଇଛି । ଏପରିସ୍ଥଳେ ଜରୁରିକାଳୀନ ସେବା ବନ୍ଦ କଲେ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।












Click it and Unblock the Notifications