ନୂଆପଡ଼ା ବିଜୟ ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି;ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି। ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି ।
ନୂଆପଡ଼ା ବିଜୟ ପରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା । ତାଙ୍କ ସୋଶାଲ ମିଡ଼ିଆ ଆକାଉଣ୍ଟ facebookରେ ସେ ଲେଖିଛନ୍ତି ,ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି।

ଏହା ସହ, ଏହି ବିଶାଳ ବିଜୟ ପାଇଁ ମୁଁ ଆମ ଦଳର ମାନ୍ୟବର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।
ଆଜି ଆମ ଦେଶରେ ମୋଦୀଜୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି। ନୂଆପଡ଼ାବାସୀଙ୍କ ସମର୍ଥନ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି। ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ ଆମେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବା।












Click it and Unblock the Notifications