ଆଜି କମ୍ପିବ ନୂଆପଡ଼ା ମଇଦାନ, ପ୍ରଚାର ପାଇଁ ଓହ୍ଲାଇବେ ନବୀନ
ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ; ସାରା ଓଡ଼ିଶାର ବିଜେଡି ନେତା ଏବେ ନୂଆପଡ଼ାରେ। ପ୍ରାୟ ୧୫ ଦିନ ହେଲା ଶଙ୍ଖ ଦଳର ଶତାଧିକ ତୁଙ୍ଗନେତା ନୂଆପଡ଼ାର ବିଭିନ୍ନ ସ୍ଥାନରେ ଡେରା ପକାଇଛନ୍ତି। ବ୍ଲକ, ଏନଏସି ଆଦି ଜଗିଛନ୍ତି। ସଭା ସମିତି, ଶୋଭାଯାତ୍ରା ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ବରିଷ୍ଠ, ଅଭିଜ୍ଞଙ୍କଠାରୁ ଆରମ୍ଭ କରି ନବାଗତ ଓ ଯୁବ-ଛାତ୍ର ନେତା ଏକ ହୋଇ ନୂଆପଡ଼ା ଆସନ ପୁଣିଥରେ ଦଖଲ କରିବାକୁ ଉଦ୍ୟମ ଚଳାଇଛନ୍ତି। ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି ଦଳ। ହେଲେ ଏଥର ସରକାରରେ ନଥାଇ ବିଜେଡି ଉପନିର୍ବାଚନ ଲଢ଼ୁଛି। ପ୍ରାୟ ୧୭ ମାସ ହେଲା ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ହୋଇଛି।

ରାଜେନ୍ଦ୍ର ଢୋଲକିଆ ଶେଷ ପର୍ଯ୍ୟନ୍ତ ବିଜେଡି ସହ ଥିଲେ। ବିଜେଡି ଟିକଟରେ ଲଢ଼ି ସେ ଏକାଧିକ ବାର ନୂଆପଡ଼ାରୁ ବିଧାୟକ ହୋଇଥିଲେ। ନବୀନ ସରକାରରେ ମନ୍ତ୍ରୀ ବି ଥିଲେ। ତାଙ୍କ ପରଲୋକ ପରେ ଏହି ଉପନିର୍ବାଚନ ହେଉଛି। ରାଜେନ୍ଦ୍ରଙ୍କ ପୁଅ ଜୟ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଜୟ ବିଜେପି ଯିବା ପରେ ବିଜେଡି ଶିବିରକୁ ଜୋରଦାର ଝଟ୍କା ଲାଗିଛି। ସ୍ଥାନୀୟ ନେତାଙ୍କ ଉପରେ ଭରସା ନକରି ଦଳ ଜିଲା ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ନବୀନ ସରକାର ସମୟରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତାକୁ ଆୟୁଧ କରି ଦଳ ଉପନିର୍ବାଚନ ଲଢ଼ୁଛି। ଲୋକେ ଏହାକୁ କେତେଦୂର ଗ୍ରହଣ କରିବେ ତାହା ଫଳାଫଳ ପରେ ଜଣାପଡ଼ିବ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ନୂଆପଡ଼ା ଉପନିର୍ବାଚନକୁ ଦଳ ବେଶ୍ ଗୁରୁତ୍ବ ଦେଇ ଲଢ଼ୁଛି। ପୂର୍ବରୁ ନିର୍ବାଚନ ପରିଚାଳନା କରିବାର ଅଭିଜ୍ଞତା ଥିବା ନେତାମାନଙ୍କୁ ଦଳ ବଡ଼ ଦାୟିତ୍ବ ଦେଇଛି। ୨୦୨୪ ନିର୍ବାଚନ ପରାଜୟର ଗ୍ଲାନିରୁ ବାହାରି ନେତାମାନେ ଏକତ୍ର ଭାବେ ନୂଆପଡ଼ାେର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗି ପଡ଼ିଛନ୍ତି। ନବୀନ ନିଜେ ନୂଆପଡ଼ାର ଅପ୍ଡେଟ୍ ନେଉଛନ୍ତି। ଭିଡିଓ କଲ୍ ଜରିଆରେ କଥା ହେଉଛନ୍ତି। ନବୀନ ଦୁଇଥର ନୂଆପଡ଼ା ଯାଇ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି। ଆଜି ନବୀନ କୋମନାରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ସେଠାରେ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ରହିବେ ବୋଲି ସୂଚନା ମିଳିଛି। ସେହିପରି ୭ ତାରିଖରେ ସେ ଖରିଆର ରୋଡ୍ରୁ ନୂଆପଡ଼ା ଯାଏଁ ରୋଡ୍ ଶୋ' କରିପାରନ୍ତି। ନବୀନଙ୍କ ଏହି ଗସ୍ତକୁ ନେଇ ବିଜେଡି ଶିବିର ବେଶ୍ ଉତ୍ସାହିତ ଅଛି।












Click it and Unblock the Notifications