Nuapada By-election; ନୂଆପଡ଼ା ହେବ କାହାର ? ବିଜେଡ଼ି, ବିଜେପି ନା କଂଗ୍ରେସ ?
ବିହାର ନିର୍ବାଚନ ସହ ନୂଆପଡ଼ା ଉପନିର୍ବାଚନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହ ଅର୍ଥାତ୍ ୬ କିମ୍ବା, ୭ରେ ଏହି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେଣୁ ଏବେ ନୂଆପଡ଼ା ଦଖଲ କରିବାକୁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି।
ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ନୂଆପଡ଼ାରେ ଏଥର ଆମେ ନିଶ୍ଚୟ ଜିତିବୁ। ଆମେ ସେଠାରେ ଜିତୁ ବୋଲି ଲୋକ ଚାହୁଁଛନ୍ତି। ସେ ଅଞ୍ଚଳରେ ବିକାଶ ବହୁତ ପଛରେ ଅଛି। ବିଜେପି ଜିତିଲେ ହିଁ ସେ ଅଞ୍ଚଳର ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବ। ସେହିପରି ଦଳର ପ୍ରାର୍ଥୀ କିଏ ହେବେ ସେନେଇ ମନମୋହନ କହିଛନ୍ତି ଯେ ଏନେଇ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହେବ। ଏହାପରେ ଚିତ୍ର ସ୍ପଷ୍ଟ ହେବ।

ସେହିପରି ଆସନ୍ତା ଉପନିର୍ବାଚନରେ ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।ବିଜେଡି କହିଛି ଯେ ଆମେ ଭଲ କାମ କରିଥିଲୁ ବାଲି ଗତ ନିର୍ବାଚନରେ ଆମ ପ୍ରାର୍ଥୀ ଜିତିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କର ଭଲ ଜନସମ୍ପର୍କ ଥିଲା। ତେଣୁ ଯିଏ ବିଜେଡିରୁ ପ୍ରାର୍ଥୀ ହେବେ ସେ ହିଁ ନିର୍ବାଚନ ଜିତିବେ।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ନୂଆପଡ଼ାରେ ଏଥର କଂଗ୍ରେସ ଜିତିବ। ବିଜେପି, ବିଜେଡି ଯେତେ ଯାହା କଲେ ବି ଜିତିପାରିବେ ନାହିଁ। ଖୁବଶୀଘ୍ର ନୂଆପଡ଼ାର ହଜାର ହଜାର ଲୋକ କଂଗ୍ରେସରେ ଯୋଗଦେବେ। ଘାସିରାମ ମାଝୀ ନୂଆପଡ଼ା ମାଟିର ପୁଅ। ସେ ହିଁ ନିର୍ବାଚନ ଜିତିବେ।
୨୦୧୯ ନିର୍ବାଚନରେ ବିଜେପିର ବିଜୟୀ ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠୁ ନୂଆପଡ଼ା ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ହଜାରେ ଭୋଟରେ ଆଗରେ ଥିଲେ। ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ ୫୦ ହଜାର ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ।
ଏବେ ଘାସିରାମ ମାଝୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି। ତେଣୁ ଆମ ଖାତାରେ ୬୫ ହଜାର ଭୋଟ ଅଛି। ସେପଟେ ବିଜେଡି ୬୨ ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। ଏସ୍ସି, ଏସ୍ଟି ଓ ଓବିସି ଭୋଟ ଆଉ ଅଧିକ ସଂଖ୍ୟାରେ କଂଗ୍ରେସ ସପକ୍ଷରେ ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।












Click it and Unblock the Notifications