ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ:ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ
ଚଳିତ ମାସ ୧୧ ତାରିଖରେ ଅର୍ଥାତ ରାତି ପାହିଲେ ବହୁଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ୨.୫୦ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ପ୍ରଚାରର ଶେଷ ଦିନରେ ବିଜେପି, ବିଜେଡି, କଂଗ୍ରେସ ସମେତ ସମାଜବାଦୀ ପାର୍ଟି ଓ ସ୍ବାଧୀନ ପ୍ରାର୍ଥୀ ବିଭିନ୍ନ ଶୈଳୀରେ ପ୍ରଚାର କରିବା ସହ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ।
ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିବାରୁ କେହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଜନତା ନିର୍ବାଚନକୁ ନେଇ ନିରବ ଥିବାବେଳେ ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି; ତଥାପି କେହି ବିଜୟ ଆଶା ଛାଡ଼ି ନାହାନ୍ତି।
ନୂଆପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାୟ ୪୫ ହଜାରରୁ ଅଧିକ ଯାଦବ ଭୋଟ୍ ରହିଛି । ୨୦୨୪ ସାଧାରଣ ନିର୍ବାଚନରେ ଯାଦବ ଭୋଟ୍ ହାତେଇବାକୁ ଲମ୍ବୋଦର ନିଆଲଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିଲା। ମାତ୍ର ଏହି ଉପନିର୍ବାଚନ ସମୟରେ ଶ୍ରୀ ନିଆଲ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଲମ୍ବୋଦରଙ୍କ ସମେତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ହିତେଶ ବଗର୍ତ୍ତିଙ୍କ ଭଳି ନେତା ଯାଦବ ଭୋଟ୍ ବିଜେପି ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଛନ୍ତି। ସେହିପରି ବିଜେଡି ନନ୍ଦଲାଲ ସିଂ, ରାଜୁ ଘିବେଲାଙ୍କ ଭଳି ଯାଦବ ନେତାଙ୍କୁ ପ୍ରଚାରରେ ସାମିଲ କରି ଯାଦବ ଭୋଟ୍ ନେବାକୁ ପ୍ରଚେଷ୍ଟା କରିଛି। ବିଜେଡି-ବିଜେପିକୁ ଟକ୍କର ଦେଇ କଂଗ୍ରେସ ମଧ୍ୟ ପ୍ରଚାର କରୁଛି ।
ଅନ୍ୟପକ୍ଷରେ ଜାତୀୟ ରାଜନୀତିରେ ଯାଦବ ନେତା ଭାବେ ପରିଚିତ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଶେଷଦିନରେ ଭୋଟ୍ ମାଗିଛନ୍ତି। ଯାଦବ ଭୋଟ୍ ହାତେଇବାକୁ ସବୁ ଦଳ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ମତଦାତା କୁଆଡ଼େ ଢଳିେବ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହି ଉପନିର୍ବାଚନରେ 'ଲରିଆ' ଓ ଯାଦବ ଭୋଟ୍ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ଏହି ଭୋଟ୍ ଯେଉଁ ଦଳ ସପକ୍ଷକୁ ଯିବ ସେ ଦଳର ପ୍ରାର୍ଥୀ ନିର୍ବାଚନରେ ବାଜିମାତ୍ କରିେବ ବୋଲି ସମଗ୍ର ନିର୍ବାଚନମଣ୍ଡଳୀରେ ଆଲୋଚନା ହେଉଛି।

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଥର ପ୍ରଚାର କରିଛନ୍ତି। ଉପନିର୍ବାଚନ ଘୋଷଣା ହେବା ପୂର୍ବରୁ ମୋହନ ୨ ଥର ନୂଆପଡ଼ା ଯାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଦଳର ତୁଙ୍ଗନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମାରାଥନ ପ୍ରଚାର କରିଥିଲେ। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଇଥର ପ୍ରଚାର କରିଛନ୍ତି। କୋମନାରେ ସାଧାରଣ ସଭା କରିବା ସହ ଖରିଆର ରୋଡ୍ ଓ ନୂଆପଡ଼ାରେ ରୋଡ୍ ଶୋ' ଏବଂ ସଭା କରି ଭୋଟ ମାଗିଥିଲେ ନବୀନ। ଦଳର ଟାଣୁଆ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଚାରର ନେତୃତ୍ବ ନେଇଥିବାବେଳେ ଦଳର ବିଧାୟକ, ଏକମାତ୍ର ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ଏକାଧିକ ପୂର୍ବତନ ପିସିସି ସଭାପତି, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭୋଟ୍ ମାଗିଥିଲେ। ତିନି ଦଳର ହେଭିୱେଟ୍ ନେତା ମାରାଥନ ପ୍ରଚାର କରିଥିବାବେଳେ କେଉଁ ଦଳ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।












Click it and Unblock the Notifications