ନୂଆପଡ଼ା ଉପ ନିର୍ବାଚନ: ଗାଁ ଗାଁରେ ବିଧାୟକ ଓ ମନ୍ତ୍ରୀଙ୍କ ମେଳି, ଚାଲିଛି ଜୋରଦାର ପ୍ରଚାର
କମ୍ପିଲାଣି ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ । ଜୋର ଧରୁଛି ପ୍ରଚାର । ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ। ଗ୍ରାଉଣ୍ଡକୁ ଓହ୍ଲାଇଲେଣି ସବୁ ଦଳର ମହାଯୋଦ୍ଧା ।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଅନେକ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମାଆ କଳ୍ପନା ଢୋଲକିଆ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଗଡ଼ ବଞ୍ଚାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଇବେ। ଲଢେଇ ପାଇଁ ନୂଆପଡାକୁ ଯୋଦ୍ଧା ପଠାଇସାରିଛନ୍ତି ବିଜେଡି ସୁପ୍ରିମୋ। ପୂର୍ବରୁ ୫୨ ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକଙ୍କୁ ନୂଆପଡା ନିର୍ବାଚନମଣ୍ଡଳୀ ଦାୟିତ୍ବ ଦେଇଥିଲେ । ଗତକାଲି ନୂଆପଡ଼ା ଉପନିର୍ବାଚନ ଆଉ ୩୪ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ।

ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ଘାସିରାମ ମାଝି ନୂଆପଡ଼ା ଅଞ୍ଚଳର ସ୍ଥାନୀୟ ଶିକ୍ଷା,ସ୍ୱାସ୍ଥ୍ୟ , ଚାଷୀ ସମସ୍ୟାକୁ ପାନୀୟ ଜଳ ସମସ୍ୟାକୁ ନେଇ ବାରମ୍ବାର ଲଢେଇ କରିଆସୁଛନ୍ତି । ଆଗକୁ କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକମାନେ ଆସି ଜୋରଦାର କ୍ୟାମ୍ପେନ କରିବେ। ୨୦୨୪ ନିର୍ବାଚନ ପରେ ଏହା ସବୁ ଦଳ ପାଇଁ ଏସିଡ ଟେଷ୍ଟ ।
ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ ରୋଡ୍ ଶୋ' କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ଏପରି ସମୟରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ଦୁଇ ଦଳର ପ୍ରଚାର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି।
ଜାତୀୟ କଂଗ୍ରେସ ପ୍ରଥମେ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଜୋରଦାର କରିଛି। ଅନ୍ୟପଟେ ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟୀ ହୋଇଥିବାରୁ ସେହି ଅନୁସାରେ ତାଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଥିଲା। ହେଲେ ସେ ଭାଜପାରେ ମିଶି ପ୍ରାର୍ଥୀ ହେବା ପରେ ବିଜେଡିର ସବୁ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ଜୟ ପ୍ରାର୍ଥୀ ହେବା ପରେ ଢୋଲକିଆଙ୍କ ଅଧିକାଂଶ ସମର୍ଥକ ଭାଜପାରେ ଯୋଗ ଦେଲେ। କିନ୍ତୁ ଭାଜପାରେ ପୂର୍ବରୁ ଥିବା ପୁରୁଖା କାର୍ଯ୍ୟକର୍ତ୍ତା ଜୟଙ୍କୁ ସହଜରେ ଗ୍ରହଣ କରୁ ନ ଥିବା ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଶୁଣିବାକୁ ମିଳୁଛି, ଜୟ ଖରିଆର ରୋଡ୍ ନିଜ ବାସଭବନରେ ଥାଇ ସବୁ କାର୍ଯ୍ୟ କରିବା ସହ ମିଶ୍ରଣ ପର୍ବ କରୁଛନ୍ତି।
କିନ୍ତୁ ଭାଜପାର ପୁରୁଖା କର୍ମକର୍ତ୍ତା ଜିଲା କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ କରୁଛନ୍ତି। ସେପଟେ ଉଭୟ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଷଣା କଲା ପରେ ଅନ୍ୟ ଦଳର ସମର୍ଥକମାନେ ଏହି ଦୁଇ ଦଳକୁ ଢଳିବାରେ ଲାଗିଲେ। ଏହାକୁ ଦେଖି ରାଜନୈତିକ ସମୀକ୍ଷକ ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ମତ ଦେଇଥିଲେ। କିନ୍ତୁ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥତ୍ପତ୍ର ଦାଖଲ କରିବା ସମୟରେ ଦଳର ହେଭିୱେଟ ନେତା ଆସି ନୂଆପଡ଼ାରେ ଡେରା ପକାଇବା ପରଠାରୁ ରାଜନୀତି ଦୃଶ୍ୟପଟ ବଦଳିଯାଇଛି। ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।












Click it and Unblock the Notifications