ନୂଆପଡ଼ା ଉପ ନିର୍ବାଚନ: କେମିତି ଥିଲା ବିଗତ ଉପ ନିର୍ବାଚନର ରେଜଲ୍ଟ  ?

ନଭେମ୍ବର ୧୧ ରେ ଭୋଟ୍ ଦେବ ନୂଆପଡ଼ା । ରାଜୁ ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି ।

ବିଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡା ଉପନିର୍ବାଚନ ଆଗକୁ ରହିଛି । ଷୋଡ଼ଶ ବିଧାନସଭା ନିର୍ବାଚନ ୨୦୧୯ରେ ହୋଇଥିଲା । ଏହା ପରେ ବିଭିନ୍ନ କାରଣ ପାଇଁ ୨୦୧୯ରୁ ୨୦୨୪ ମଧ୍ୟରେ ୮ଟି ଉପନିର୍ବାଚନ ହୋଇଛି । ୨୦୨୫ ଆଉ ଏକ ଉପନିର୍ବାଚନ ନୂଆପଡ଼ାରେ ଆସନ୍ନ । ୭ଟି ଉପନିର୍ବାଚନରେ ବିଜେଡି ଓ ଗୋଟିଏରେ ବିଜେପିର ଜିତାପଟ ହୋଇଛି । ନୂଆପଡା ତଥା ଉପନିର୍ବାଚନରେ କିଏ ବାଜିମାତ କରିବ ସେନେଇ ଅବଗଣନା ଆରମ୍ଭ ହୋଇଯାଇଛି ।

କାମ ଦେଇଛି ଅନୁକମ୍ପା ଭୋଟ-

ବିଗତ ୬ ବର୍ଷର ରାଜ୍ୟରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନ ବେଳେ ପ୍ରାର୍ଥୀ ଚୟନରେ ଗୋଟିଏ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଶାସକ ହେଉ ଅବା ବିରୋଧୀଙ୍କ ନଜର ଦିବଂଗତ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସଦସ୍ୟଙ୍କ ଉପରେ ଥାଏ । ଦିବଂଗତ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସଦସ୍ୟଙ୍କୁ ହିଁ ପ୍ରାର୍ଥୀ କରାଯାଇଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ଅନୁକମ୍ପା ଭୋଟ ବି କାମ ଦେଇଥିଲା ।

ଉପନିର୍ବାଚନରେ ରୀତା ସାହୁଙ୍କ ରେକର୍ଡ-

୨୦୧୯ ସାଧାରଣ ନିର୍ବାଚନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ । ନିଜର ହିଞ୍ଜିଳି ଆସନ ସହ ବିଜେପୁରରେ ନବୀନ ନିର୍ବାଚନ ଲଢ଼ିଥିଲେ । ଉଭୟ ଆସନରେ ନବୀନ ବିଜୟ ହୋଇଥିଲେ । ଦୁଇଟି ଆସନ ଜିତିଲା ପରେ ବିଜେପୁରକୁ ଛାଡ଼ି ଦେଇଥିଲେ ନବୀନ । ସେଠାରେ ହୋଇଥିବା ୨୦୧୯ ପରେ ପ୍ରଥମ ଉପନିର୍ବାଚନ । ଉପ ନିର୍ବାଚନରେ ରୀତା ସାହୁ ହୋଇଥିଲେ ବିଜେଡି ପ୍ରାର୍ଥୀ । ବିଜେପିରୁ ସନତ ଗଡ଼ତିଆ ଓ କଂଗ୍ରେସରୁ ଦିଲ୍ଲୀପ କୁମାର ପଣ୍ଡା ମଧ୍ୟ ପ୍ରାର୍ଥୀ ହୋଇଥିଲେ । ଉକ୍ତ ନିର୍ବାଚନରେ ରୀତା ସାହୁ ୧୩୫,୯୫୭, ସନତ ୩୭, ୯୬୭, ଦିଲ୍ଲୀପ ୫,୮୭୩ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସନତଙ୍କୁ ରୀତା ୯୭,୯୯୦ ଖଣ୍ଡ ଭୋଟରେ ହରାଇଥିଲେ । ଏହି ବିଜୟ ବ୍ୟବଧାନ ଥିଲା ସର୍ବକାଳୀନ ରେକର୍ଡ । ପରବର୍ତ୍ତୀ ସମୟରେ ରୀତା ନବୀନ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ।

ଜିତିଥିଲେ ବିଜୟ, ହାରିଥିଲେ ମାନସ-

୨୦୨୦ ମସିହାରେ ତିର୍ତ୍ତୋଲର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ହୋଇଥିଲା । ସେଠାରେ ହୋଇଥିବା ଉପନିର୍ବାଚନରେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ତିର୍ତ୍ତୋଲ ସିଟକୁ ବିଜେଡି ବଜାୟ ରଖିବାରେ ହୋଇଥିଲା ସଫଳ । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୧ ହଜାର ୭୦୩ ଖଣ୍ଡ ଭୋଟରେ ହରାଇଥିଲେ । ବିଜେଡିର ବିଜୟ ୮୮,୩୧୦ ଖଣ୍ଡ, ବିଜେପିର ରାଜକିଶୋର ବେହେରା ୪୬,୬୦୭ ଖଣ୍ଡ ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ ୨୮,୭୭୮ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୨୦ରେ ବାଲେଶ୍ବର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ଯୋଗୁଁ ସେଠାରେ ଉପନିର୍ବାଚନ ହୋଇଥିଲା । ମଦନଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ଵରୂପ କୁମାର ଦାସ । ତେବେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ଏହି ଆସନଟିକୁ ରକ୍ଷା କରିବାରେ ବିଜେପି ସମର୍ଥ ହୋଇନଥିଲା । ୧୩ ହଜାର ୩୫୧ ଖଣ୍ଡ ଭୋଟରେ ବିଜେଡି ଠାରୁ ବିଜେପି ପଛରେ ପଡ଼ିଯାଇଥିଲା । ସ୍ୱରୂପ ୮୪,୦୯୭ ଖଣ୍ଡ, ମାନସ ୭୦, ୭୪୬ ଖଣ୍ଡ ଓ କଂଗ୍ରେସର ମମତା କୁଣ୍ଡୁ ୪,୯୮୩ ଖଣ୍ଡ ଭୋଟ ପାଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ମାନସ ଦତ୍ତ ପୁନର୍ବାର ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।

Nuapada by-election
ପ୍ରଦୀପ ମହାରଥୀଙ୍କର ପରେ ପୁଅ ରୁଦ୍ର ମହାରଥୀ -

ପୂର୍ବତନ ମନ୍ତ୍ରୀ ତଥା ଭେଟରାନ ବିଧାୟକ ପ୍ରଦୀପ ମହାରଥୀଙ୍କର କୋଭିଡ ପରବର୍ତ୍ତୀ ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିଲା । ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିଲେ ପ୍ରଦୀପଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ରୁଦ୍ରଙ୍କୁ ମିଳିଥିଲା ୯୬,୯୭୨ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬,୦୫୬ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପାଇଥିଲେ ୪୨୬୧ ଖଣ୍ଡ ଭୋଟ । ରୁଦ୍ର ୨୦,୯୧୬ ଖଣ୍ଡ ଭୋଟରେ ବିଜୟ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ରୁଦ୍ର ୧୫,୧୬୨ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି ।

୨୦୨୨ରେ ୩ ଉପନିର୍ବାଚନରୁ ବିଜେଡି ୨, ବିଜେପି ୧-

୨୦୨୨ରେ ତିନିଟି ଉପନିର୍ବାଚନର ସାମନା କରିଥିଲା ଓଡ଼ିଶା । ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ୨୦୨୨ ଜୁନରେ ହୋଇଥିଲା ଉପନିର୍ବାଚନ । ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ କିଶୋରଙ୍କ ପତ୍ନୀ ଅଳକା ମହାନ୍ତି । କଂଗ୍ରେସରୁ ଭେଟରାନ କିଶୋର ଚନ୍ଦ୍ର ପଟେଲ ଓ ବିଜେପିରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିଲେ । ଅଳକା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାର ୧୨୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଅଳକା ୯୩,୯୫୩ ଖଣ୍ଡ, କିଶୋର ୨୭,୮୩୧ ଖଣ୍ଡ ଓ ରାଧାରାଣୀ ୨୨,୬୩୦ ଭୋଟ ପାଇ ଥିଲେ ।

ସୁରଜ୍ ସୂର୍ଯ୍ୟବଂଶୀ

ସେହିପରି ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ୨୦୨୨ ମସିହା ନଭେମ୍ବର ମାସରେ ହୋଇଥିଲା ଉପନିର୍ବାଚନ । ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯ ହଜାର ୮୮୧ ଖଣ୍ଡ ଭୋଟରେ ହରାଇଥିଲେ । ବିଜେପି ନିଜର ଗଡ଼ ବଞ୍ଚେଇବାରେ ସଫଳ ହୋଇଥଲା । ଅନୁକମ୍ପା ଭୋଟ ସହ ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର କୁମାର ଦାସ, ବିଜେଡିର ଏକ୍ସପେରିମେଣ୍ଟ ଯୋଗୁଁ ବିଜେପି ସେଠାରେ ବିଜୟ ହେଲା ବୋଲି ଚର୍ଚ୍ଚା ହୁଏ । ସୂର୍ଯ୍ୟବଂଶୀ ୮୦,୩୫୧ ଖଣ୍ଡ, ବିଜେଡିର ଅବନ୍ତି ୭୦, ୪୭୦ ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ୮,୧୫୩ ଖଣ୍ଡ ଓ କଂଗ୍ରେସର ହରେକୃଷ୍ଣ ସେଠୀ ୩,୫୩୩ ଖଣ୍ଡ ଭୋଟ ପାଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ସୂର୍ଯ୍ୟବଂଶୀ ବିଜୟ ହୋଇ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଛନ୍ତି ।

୨୦୨୨ରେ ତୃତୀୟ ଉପନିର୍ବାଚନ ପଶ୍ଚିମ ଓଡିଶାର ପଦ୍ମପୁରରେ ହୋଇଥିଲା । ସେଠାକାର ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରଲୋକ ପରେ ବର୍ଷର ଶେଷ ମାସରେ ଉପନିର୍ବାଚନ ହୋଇଥିଲା । ବିଜୟଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପଦ୍ମପୁରରେ ବିରୋଧୀଙ୍କ ପକ୍ଷରୁ ଘୋଷଣା ହୋଇଥିବା ଯୋଜନା ବର୍ଷାକୁ ଓଦା କରିଦେଇଥିଲା ବର୍ଷାଙ୍କ ଲୁହର ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୭୯ ଖଣ୍ଡ ଭୋଟରେ ହରାଇଥିଲେ । ବର୍ଷାଙ୍କୁ ୧,୨୦,୮୦୭ ଖଣ୍ଡ, ପ୍ରଦୀପ ୭୮,୧୨୮ ଓ କଂଗ୍ରେସର ସତ୍ୟ ଭୂଷଣ ସାହୁ ୩,୫୯୪ ଖଣ୍ଡ ଭୋଟ ପାଇଥିଲେ । ପୁନର୍ବାର ୨୦୨୪ରେ ଉକ୍ତ ଆସନରୁ ବର୍ଷା ବିଜୟ ହୋଇ ବିଧାନସଭା ଆସିଛନ୍ତି ।

ହାଇଭୋଲଟେଜ ଝାରସୁଗୁଡାରୁ ଦୀପାଳି ବିଜୟ-

୨୦୨୩ରେ ଶେଷ ଉପନିର୍ବାଚନ ହାଇଭୋଲଟେଜ ଝାରସୁଗୁଡାରେ ହୋଇଥିଲା । ଝାରସୁଗୁଡ଼ା ବିଧାୟକ ତଥା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଝାରସୁଗୁଡ଼ାରେ ହୋଇଥିବା ଏହି ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ନବଙ୍କ ଝିଅ ଦୀପାଳି ଦାସ । ଦୀପାଳି ୧,୦୭,୧୯୮ ଖଣ୍ଡ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮,୪୭୭ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪,୪୯୬ ଖଣ୍ଡ ଭୋଟ ପାଇଥିଲେ । ଟଙ୍କଧରଙ୍କୁ ୪୮ ହଜାର ୨୭୧ ଖଣ୍ଡ ଭୋଟ ବ୍ୟବଧାନରେ ଦୀପାଳି ହରାଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଦୀପାଳିଙ୍କୁ ୧,୩୩୩ ଖଣ୍ଡ ଭୋଟରେ ହରାଇଛନ୍ତି ଟଙ୍କଧର । ଅବଶ୍ୟ ନିର୍ବାଚନ ଅନିୟମିତତା ଅଭିଯୋଗରେ ଦୀପାଳି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବିଜେଡି ପାଇଁ ସହଜ ହେବ ନାହିଁ ନୂଆପଡା-

ଉପରୋକ୍ତ ସମସ୍ତ ଉପନିର୍ବାଚନରେ ଶାସକ ଦଳରେ ଥିଲା ବିଜୁ ଜନତା ଦଳ । ବିରୋଧୀ ଆସନରେ ବସିଥିଲା ବିଜେପି । ଏବେ ପରିସ୍ଥିତି ବଦଳିଛି । ରାଜ୍ୟରେ ସତ୍ତା ପରିବର୍ତ୍ତନ ହୋଇଛି । ଶାସନ ଦାୟିତ୍ୱରେ ବିଜେପି ଥିବାବେଳେ ବିରୋଧୀ ଭୂମିକା ତୁଲାଉଛି ବିଜେଡି । ତେଣୁ ନୂଆପଡା ନିର୍ବାଚନର ଫଳାଫଳ ନିଜ ସପକ୍ଷରେ ଆଣିବା ବିଜେଡି ପାଇଁ କାଠିକର ପାଠ ହେବ ବୋଲି ଚର୍ଚ୍ଚା ହେଉଛି । ନୂଆପଡାର ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଜୟ ଢୋଲକିଆ ଶାସକ ଦଳ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଅନୁକମ୍ପା ଭୋଟ ବିଜେଡି ସପକ୍ଷରେ ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେହିପରି ବିଜେଡି ଜିଲ୍ଲା ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡାରେ ପ୍ରାର୍ଥୀ କରିଛି ।

ନଭେମ୍ବର ୧୪ ଫଳାଫଳକୁ ଅପେକ୍ଷା-

ନୂଆପଡା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ତାରିଖ । ନାମାଙ୍କନ ଦାଖଲର ଶେଷ ଦିନରେ ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି । ଅକ୍ଟୋବର ୨୨ରେ ନାମାଙ୍କନ ଯାଞ୍ଚ ସହ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୧୧ରେ ମତଦାନ ଓ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇବ । ନୂଆପଡାରେ ମୋଟ ୨,୫୩,୬୨୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୧,୨୪,୧୦୮ ଜଣ ପୁରୁଷ, ୧,୨୯,୪୯୫ ଜଣ ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୯,୪୨୯ ଜଣ ଯୁବ ଭୋଟର ରହିଥିବାବେଳେ ୩୯୮୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେହିପରି ୮୫ ବର୍ଷରୁ ଉର୍ଦ୍ଧ୍ବ ୧୭୮୬ ଜଣ ବରିଷ୍ଠ ନାଗରିକ ଭୋଟର ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+