ନୂଆପଡ଼ା ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ଭୋଟିଂ
ନୂଆପଡ଼ା ଉପନିର୍ବାଚନ: ସୁରୁଖୁରୁରେ ଚାଲିଛି ଭୋଟିଂ। ଦିନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ଭୋଟିଂ । ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ଦୁଇଟି ଏନ୍ଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍ ୩୫୮ଟି ବୁଥ୍ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି।
ଏହି ୧୦୧ ବୁଥ୍ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି। ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସାଧାରଣ ଭୋଟ୍ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଓବାଦୀ ପ୍ରଭାବିତ ବୁଥ୍ ମଧ୍ୟରୁ ୮ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି ।

ସେଗୁଡ଼ିକ ହେଉଛି ୩୨୦-ସୋସେଙ୍ଗ, ୩୨୧- ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା ୧(କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡା(୨) ରହିଛି। ଏହି ବୁଥ୍ଗୁଡ଼ିକ ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିଂପାର୍ଟି ସୁରକ୍ଷିତ ଯିବା ସହିତ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରି ଫେରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯାଇଛି । ମାଓବାଦୀ ପ୍ରଭାବିତ ୮ ବୁଥ୍ ଲାଗି ୬ ଜଣ ଲେଖାଏ ମୋଟ୍ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଥରକରେ ୬ ଜଣ ଲେଖା ୮ଥରରେ ପୋଲିଂପାର୍ଟିକୁ ଦୁର୍ଗମ ଅଞ୍ଚଳରେ ଥିବା ବୁଥ୍ରେ ସୁରକ୍ଷିତ ଛଡ଼ାଯାଇଛି ।
କଣ୍ଟ୍ରୋଲ ରୁମରୁ ଅନୁଧ୍ୟାନ କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ-
ନୂଆପଡାରେ ଚାଲିଛି ଉପନିର୍ବାଚନ ପାଇଁ ଭୋଟିଂ । ନୂଆପଡ଼ା ଉପନିର୍ବାଚନ ସ୍ଥିତିକୁ ନେଇ ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଏବଂ ତାଙ୍କ ଟିମ୍ କଣ୍ଟ୍ରୋଲ ରୁମରେ ଭୋଟିଂ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୁରା ଭୋଟିଂ ପ୍ରକ୍ରିୟାକୁ କରୁଛନ୍ତି ମନିଟରିଂ ।
ଭୋଟ ଦେଲେ ଜୟ-ଘାସିରାମ-
ଗଣତନ୍ତ୍ରର ମହାମନ୍ଦିର କୁହାଯାଉଥିବା 66 ନମ୍ବର ବୁଥ ମୋଙ୍ଗରାପାଲିରେ ଭୋଟ ଦେଇଛନ୍ତି ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପରିବାର । ପ୍ରାର୍ଥୀ ଜୟ ଢୋଲକିଆଙ୍କ ସହିତ ତାଙ୍କ ମାଆ କଳ୍ପନା ଢୋଲକିଆ ଧର୍ମପତ୍ନୀ ସପରିବାର ଭୋଟ ଦେଇଛନ୍ତି । ପ୍ରଥମେ ଖରିଆର ରୋଡ଼ ସ୍ଥିତ ଶଙ୍କର ମନ୍ଦିରରେ ପୂଜାର୍ଚ୍ଚନା କରି ମହାଦେବଙ୍କ ଆଶୀର୍ବାଦ ଲାଭକରି ଭୋଟ ଦେବା ପାଇଁ ଆସିଥିବା ଜୟ କହିଛନ୍ତି ।କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡା ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଲୟର 120 ନମ୍ବର ବୁଥରେ ଭୋଟ ଦେଇଛନ୍ତି । ନିର୍ବାଚନ ବିଜୟୀ ନେଇ ମନରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା । ମତଦାନ କେନ୍ଦ୍ରରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ବହୁତ ସୁନ୍ଦର ବ୍ୟବସ୍ଥା କହିବା ସହିତ 2000 ପ୍ରତିଶତ ନିର୍ବାଚନ ବିଜୟୀ ହେବି ବୋଲି କହିଛନ୍ତି ଘାସିରାମ ।












Click it and Unblock the Notifications