ଆରମ୍ଭ ହେଲା ଭୋଟ୍ ଗଣତି: ନୂଆପଡ଼ା ହେବ କାହାର ?
ଆରମ୍ଭ ହେଲା ଭୋଟ୍ ଗଣତି । ପୋଷ୍ଟାଲ ବାଲାଟ୍ ପ୍ରଥମେ ଗଣିତି ହେଉଛି । ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ଜଣାପଡିବ । ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ କାହା ସପକ୍ଷରେ ଯାଉଛି ତାହା ସ୍ପଷ୍ଟ ହୋଇଯିବ ।1951ରୁ 2025, ଦୀର୍ଘ 75 ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗିଛନ୍ତି ନୂଆପଡ଼ା ଭୋଟର । 2025 ଉପନିର୍ବାଚନରେ ସର୍ବାଧିକ 83.45 ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ଜେପି ସରକାରର ପ୍ରଥମ ଉପ-ନିର୍ବାଚନ ନୂଆପଡ଼ା। ଜଣେ କି ୨ ଜଣ ନୁହେଁ, ୫ ଜଣ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଠାରେ କ୍ରମାଗତ ପ୍ରଚାର କରିଛନ୍ତି। କୋମନା, ନୂଆପଡ଼ା ଓ ଖରିଆର ରୋଡ ଯାଏଁ ଶୋଭାଯାତ୍ରାରେ ବୁଲିଛନ୍ତି। ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ ଭିକ୍ଷା ସହ ଅନେକ ଆଶା, ବିଶ୍ବାସ ଓ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ପ୍ରଚାର ଗର୍ଜନରେ ଗାଁରୁ ସହର ଦୁଲୁକିଛି। ଆଖି ଝଲସା ନିର୍ବାଚନ ପ୍ରଚାର ନୂଆପଡ଼ା ଦେଖିଛି। ମଙ୍ଗଳବାର ମତଦାନ ସରିଥିବାବେଳେ ରାତି ପାହିଲେ (ଶୁକ୍ରବାର) ଭୋଟ୍ ଗଣତି। ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସବୁ ନେତାଙ୍କର ବିଜୟ ଆଶା ଢ଼େର। ଗଣିତ ଓ ଗଣତି ନେଇ ହିସାବ ନିକାସ ଜାରି ରହିଛି। ନୂଆପଡ଼ାବାସୀଙ୍କ ସହ ବିଜେପି,ବିଜେଡି ଓ କଂଗ୍ରେସ ଶିବିରରେ ଭରି ରହିଛି ଉତ୍କଣ୍ଠା। ଭୋଟ ଗଣତି ପରେ ନୂଆପଡ଼ା ଦେଖିବ ନୂଆ ବିଧାୟକ। ପୁଣି ହେବ ନୂଆ ଶୋଭାଯାତ୍ରା। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ପ୍ରଥମ ଥର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି।
ବିଜେପିରୁ ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ଓଡ଼ିଶା ଜନତା ପାର୍ଟିରୁ ଶୁକଧର ଦଣ୍ଡସେନାଙ୍କ ସମେତ ୧୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଅନୁକମ୍ପା ଆଧାରରେ ମତଦାନ ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ବଦଳିଯାଇଥିବା ପ୍ରଚାର ଶୈଳୀରୁ ଲକ୍ଷ୍ୟ କରାଯାଇଛି। ବିଜେପି ଏଠାରୁ ବିଜୟ ତିଳକ ଲଗାଇବାକୁ ଆଶାବାଦୀ ଥିବାବେଳେ ବିଜେଡି ପୁଣିଥରେ ନୂଆପଡ଼ା ଦଖଲ ସ୍ବପ୍ନ ରଖିଛି। ଗତ ୪ଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା କଂଗ୍ରେସର ଘାସିରାମ ମାଝୀଙ୍କ ଦୃଢୋକ୍ତି କଂଗ୍ରେସପ୍ରେମୀଙ୍କୁ ଉତ୍ସାହିତ କରୁଛି।












Click it and Unblock the Notifications