ନୂଆଖାଇ ପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ: କ'ଣ ପାଇଁ ପାଳନ ହୁଏ ଏହି ପର୍ବ ? ନୂଆଖାଇ ଜୁହାର ମାନେ କ'ଣ ?
ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଗାଁ ଯାକର ହେଇ ମେଟ୍ (ହଳଧର ନାଗ)
ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା । ରାତି ପାହିଲେ ନୂଆଖାଇ । ଚାରିଆଡେ ନୂଆଖାଇର ମାହୋଲ । ସମସ୍ତେ ଭାରି ଖୁସି । ନୂଆଖାଇ ପାଇଁ ପୁରରୁ ପଲ୍ଲୀ ସବୁଠି ଗହଳଚହଳ । ସମସ୍ତେ ନୂଆ ପିନ୍ଧିବେ, ନୂଆ ଖାଇବେ । ଏକାଠି ହୋଇ ଜୁହାର ଭେଟ୍ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି ।
ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱେରିଙ୍କ ପୀଠ ଉତ୍ସବ ମୁଖର । ମନ୍ଦିରରେ ଭକ୍ତଙ୍କ ସମାଗମ ଆଜିଠୁ ଦେଖିବାକୁ ମିଳିଲାଣି । ଲୋକେ କାହିଁ ଦେଶ ବିଦେଶରୁ ନିଜ ନିଜ ଘରକୁ ଆସିଲେଣି । ସମସ୍ତଙ୍କ ଘରେ ବି କୁଣିଆ ଫୁଲ । ସମସ୍ତେ ଏକାଠି । ଘରେ ନିଜ ପରିବାର ସହ ମିଶି ପାଳିବେ ନୂଆଖାଇ । ନିଜ ପରିବାର , କୁଟୁମ୍ବଙ୍କ ସହ ମିଶି ପାଳନ ହେବ ନୂଆଖାଇ ।

ଧାନ ଅମଳର ଖୁସିରେ ନୂଆଖାଇ ପାଳନ ହୁଏ । ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ଏହି ପର୍ବ ପାଳିତ ହୋଇଥାଏ । ଏହି ଦିନ ପ୍ରତି ପରିବାରରେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି ।
ନୂଆଖାଇ ପରଦିନ "ନୂଆଖାଇ ବାସି" ପାଳନ ହୁଏ । ଏହିଦିନ ବଳକା "ନବାନ୍ନ" ଆଉ କ୍ଷୀରି-ପିଠା ଖିଆହେବା ସହ ଆମିଷ ରନ୍ଧା ହୋଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ଓ ପାରମ୍ପାରିକ ଖେଳଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି ଆଦି ଖେଳି ଏହି ପର୍ବ ପାଳନ କରିଥାନ୍ତି ।
କାହିଁକି ନୂଆଖାଇ ?
ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ଏହା କୃଷି ଭିତ୍ତିକ ପର୍ବ । ଧାନ ଅମଳର ଖୁସିରେ ଚାଷୀମାନେ ଏହି ପର୍ବ ପାଳନ କରିଥାନ୍ତି । ଶରତ ଋତୁ ଧରା ପୃଷ୍ଠରେ ଅବତରଣ ପରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ । ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଆଉ ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ ।
ନୂଆଖାଇ ଜୁହାର
ଗ୍ରାମ ବା ସହରର ଲୋକମାନେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ନିଜର ବୟସ୍କମାନଙ୍କୁ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ଆଉ ନୂଆଖାଇ ଜୁହାର କରିଥାନ୍ତି । ମତଭେଦ ଦୂର କରି ସମସ୍ତେ ପୁଣି ଏକଜୁଟ ହୋଇ ଥାନ୍ତି ।
କେବେ ହୁଏ ନୂଆଖାଇ ?
ନୂଆଖାଇ ପର୍ବ ଆଗରୁ ପ୍ରତି ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ହେଉନଥିଲେ । ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ତିଥିରେ ଏହି ପର୍ବ ପାଳିତ ହେଉଥିଲା । ଇଷ୍ଟଦେବୀଙ୍କ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ ।
୧୯୯୧ ରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।
ଏହା ପରେ ପଶ୍ଚିମ ଓଡ଼ିଶାର ସବୁ ମହଲରେ ଚିନ୍ତା କରାଯାଇ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।
ନୂଆାଖାଇ ବାସି
ନୂଆଖାଇ ପରଦିନକୁ ନୂଆାଖାଇ ବାସି ବୋଲି କୁହାଯାଏ । ଏହି ଦିନଟିକୁ ଭାରି ମଉଜ ମଜଲିସ ଭାବେ ପାଳନ କରାଯାଏ । ନୂଆଖାଇ ଦିନ ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ କେହି ଆମିଷ ଖାଆନ୍ତି ନାହିଁ । ସେଥିପାଇଁ ପରଦିନ ଆମିଷ ଖାଇଥାନ୍ତି ।
ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି । ସମ୍ବଲପୁର ସହରର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି । ଆସନ୍ତା ସେପ୍ଟେମ୍ବର ୮ ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗିହେବ । ପ୍ରତିବର୍ଷ ନନ୍ଦୋତ୍ସବରେ ନୂଆଁଖାଇ ଲାଗି ଲଗ୍ନ ସ୍ଥିର କରାଯାଇଥାଏ । ପରମ୍ପରା ଅନୁଯାୟୀ ମଙ୍ଗଳବାର ନନ୍ଦୋତ୍ସବ ଅବସରରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି । ଲଗ୍ନ ନିର୍ଦ୍ଧାରଣ ପାଇଁ ମଙ୍ଗଳବାର ଦିନ ଆୟୋଜିତ ପଣ୍ଡିତ ମହାସଭାରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା। ଏଠାରେ ମା' ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। । ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଅନୁସାରେ ଏହି ସମୟରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications