ଧାର୍ଯ୍ୟ ହେଲା ଗଣପର୍ବ ନୂଆଁଖାଇ ଲଗ୍ନ: ୨୮ ତାରିଖ ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫ ମିନିଟ ମଧ୍ୟେ ନବାହ୍ନ ଲାଗି
ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନାନୁସାରେ ଚଳିତ ମାସ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫ ମିନିଟ ମଧ୍ୟେ ତୁଳା ଲଗ୍ନରେ ଇଷ୍ଟଦେବୀ ମା' ସମଲେଇ ପ୍ରଥମେ ନବାହ୍ନ ଲାଗି ହେବେ। ପରମ୍ପରା ଓ ରୀତିନୀତି ଅନୁସାରେ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ଜନସାଧାରଣ ନୂଆଁଖାଇ ଭୋଗ ଖାଇବେ ବୋଲି ସ୍ଥିର ହୋଇଛି।
ଶନିବାର ଅପରାହ୍ନ ୪ଟା୩୦ରେ ସମ୍ବଲପୁର ସହର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଝାଡୁଆପଡା ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ପଣ୍ଡିତ ଓ ଜ୍ୟୋତିଷମାନେ ଯୋଗ ଦେଇଥିଲେ। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପଣ୍ଡିତମାନେ ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଥିଲେ।

ଏହି ଅବସରରେ ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁଙ୍କ ସମେତ ପୂଜକମାନେ ଲଗ୍ନ ପରମ୍ପରାନୁସାରେ ଗ୍ରହଣ କରିଥିଲେ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଭ୍ୟ ସରୋଜ କୁମାର ଦଳପତ, ଶ୍ରୀମନ୍ତ୍ର ମିଶ୍ର, ସୁଶାନ୍ତ କୁମାର ପୁରୋହିତ, ମିଳୁ ପାଣିଗ୍ରାହୀ, ପ୍ରାଣରଞ୍ଜନ ପଣ୍ଡା, ପାର୍ଥ ସାରଥି ମିଶ୍ର, ଶୁଭେନ୍ଦ୍ର କୁମାର ପଣ୍ଡା, ଅଭିଷେକ ମିଶ୍ର, ପ୍ରବୀଣ କୁମାର ଦୀକ୍ଷିତଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭା ସଭାପତି ରବିନାରାୟଣ ପଣ୍ଡା, ପଣ୍ଡିତ ସଚ୍ଚିିଦାନନ୍ଦ ମିଶ୍ର କରଶର୍ମା, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପଣ୍ଡିତ ମହେଶ୍ୱର ନାୟକ, ପଣ୍ଡିତ ସରିତ କୁମାର ପାଢ଼ୀ, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳର ପଣ୍ଡିତମାନେ ସାମିଲ ଥିଲେ।












Click it and Unblock the Notifications