'ମୋ ସେବା' କେନ୍ଦ୍ରରେ ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବୁକିଂ
'ମୋ ସେବା' କେନ୍ଦ୍ରରେ ହେବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବୁକିଂ
ଭୁବନେଶ୍ୱର: ରାଜ୍ୟର ସମସ୍ତ 'ମୋ ସେବା' କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା । ଲୋକ ମାନେ ନିଜ ନିକଟସ୍ଥ 'ମୋ ସେବା' କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ଆଜି ପର୍ଯ୍ୟନ୍ତ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲ siam.inରେ ମିଳୁଥିଲା ଯାହା ଫଳରେ କିଛି ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ତ କିଛି ଅନଲାଇନ୍ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ ।

ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା,ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଥିଲା। ସ୍ଲଟ୍ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଥିଲା । କିଏ ଟେକ୍ନିକାଲ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍ଲାଇନ୍ରେ ଆବେଦନ କରିପାରୁ ନାହାନ୍ତି । ସେହିପରି ଆଉ କାହାକୁ ଡେଡ୍ଲାଇନ୍ର ବହୁ ପରେ ତାରିଖ ମିଳୁଛି। ଏଭଳି ସ୍ଥିତିରେ କ'ଣ କରିବେ, ସେନେଇ ଗାଡ଼ି ମାଲିକ ଅଡ଼ୁଆରେ ପଡ଼ିଥିଲେ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଯାହା ପରେ ରାଜ୍ୟ ପରିବହନ ପ୍ରାଧିକରଣ(STA) ପକ୍ଷରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା । ଲୋକଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ଓକାକ୍କୁ ଅନୁରୋଧ କରିବା ପରେ ଓକାକ୍ ପକ୍ଷରୁ ସମସ୍ତ 'ମୋ ସେବା' କେନ୍ଦ୍ରରେ ବୁକିଂର ବ୍ୟବସ୍ଥା କରାଯାଇଛି । ଫଳରେ ଲୋକ ମାନେ ସେଠାକୁ ଯାଇ ସହଜରେ ନିଜ ଗାଡିର ହାଇ ସିକ୍ୟୁରିଟି ନମ୍ବର ପାଇଁ ବୁକିଂ କରିପାରିବେ । ସେହିପରି ରାଜ୍ୟର ସମସ୍ତ ଆରଟିଓ ଅଫିସ୍ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲ୍ପ ଡେସ୍କର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଯେଉଁମାନଙ୍କର ଗାଡ଼ି ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ।
ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ସେହିପରି ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।












Click it and Unblock the Notifications