ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି: ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?
ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ । ଆଉ ଓଡ଼ିଶାରୁ ଜଣେ ଯିବେ ରାଜ୍ୟସଭା। ସଂଖ୍ୟା କହୁଛି ବିଜେପି ହିଁ ଜଣକୁ ରାଜ୍ୟସଭା ପଠାଇବ। ହେଲେ କେଉଁ ନେତା ଯିବେ ରାଜ୍ୟସଭା ।
ସେପଟେ ରାଜ୍ୟସଭା ଉପନିର୍ବାଚନ ଲାଗି ବାହାରିଲା ବିଜ୍ଞପ୍ତି । ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ନାମାଙ୍କନର ଶେଷ ତାରିଖ ଡିସେମ୍ବର ୧୦, ୧୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୩ ସୁଦ୍ଧା ପାର୍ଥିପତ୍ର ପ୍ରତ୍ୟାହାର, ୨୦ରେ ହେବ ଭୋଟ୍ ଗ୍ରହଣ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ନିର୍ବାଚନ । ରାଜ୍ୟସଭାରୁ ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ ।
ବିଜେଡିକୁ ଚେକ ଦେବାକୁ ସୁଜିତ କୁମାରଙ୍କୁ ପଠାଇପାରେ ବିଜେପି। ସେପଟେ ମନମୋହନ ସାମଲ,ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କୁ ନେଇ ମଧ୍ୟ ମାନସ ମନ୍ଥନ ଚାଲିଥିବା ଚର୍ଚ୍ଚା ହେଉଛି।

ଓଡ଼ିଶାରୁ କିଏ ଯିବ ରାଜ୍ୟସଭା ?
କାହାକୁ ରାଜ୍ୟସଭା ପଠାଇବ ପଦ୍ମ କ୍ୟାମ୍ପ?
ଏଥର ବି ବିଜେପି ଆପଣାଇବ କି ମମତା ମହାନ୍ତ ଫର୍ମୁଲା?
ନା ଦଳର ବରିଷ୍ଠ ନେତାଙ୍କୁ ଦେବ ସୁଯୋଗ?
କାହାକୁ ଭରସା କରିବ ଭାରତୀୟ ଜନତା ପାର୍ଟି ?
ସଂଖ୍ୟା ଗଣିତ ବିଜେପି ସପକ୍ଷରେ ରହିଛି । ହେଲେ ବିଜେପି କାହାକୁ ରାଜ୍ୟସଭାକୁ ପଠାଇବ,ତାକୁ ନେଇ ଦଳୀୟ ମହଲରେ ମଧ୍ୟ ଚାଲିଛି ମାନସ ମନ୍ଥନ। ରେସରେ ଆଗରେ ଅଛନ୍ତି ରାଜ୍ୟସଭା ଏମପି ପଦ ଏବଂ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାର।
ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏବଂ ରାଜ୍ୟ ନେତୃତ୍ବର ମିଳିତ ସହମତିରେ ଯଦି ସୁଜିତଙ୍କ ନାଁରେ ମୋହର ମାରନ୍ତି ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। ସମାନ ଷ୍ଟ୍ରାଟେଜୀ ମମତା ମହାନ୍ତଙ୍କୁ ରାଜ୍ୟସଭାକୁ ବିଜେପି ପଠାଇଥିଲା। ଅନ୍ୟପଟେ ବିଜେପି ଅନ୍ଦର ମହଲରୁ ଯାହା ଖବର ରହିଛି ସୁଜିତଙ୍କୁ ରାଜ୍ୟସଭା ପଠାଇ ବଡ ମେସେଜ ଦେବାକୁ ଚାହୁଁଛି ଦଳ। ଖାଲି ସେତିକି ନୁହେଁ ଏଭଳି ଗୋଟି ଚାଳନା କରି ବିରୋଧୀ ବିଜେଡିକୁ ମଧ୍ୟ ଚେକ ଦେବାକୁ ନେଇ ରଣନୀତି କରୁଥାଇ ପାରେ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି। ତେବେ ବିଜେପି ଏହାକୁ ନେଇ ତାର କାର୍ଡ ଓପନ କରିନାହିଁ।
ସେପଟେ ରାଜ୍ୟସଭା ରେସରେ ଆଉ ତିନି ଜଣଙ୍କ ନାଁ ମଧ୍ୟ ଆଗରେ ରହିଛି। ସେମାନେ ହେଲେ ରାଜ୍ୟ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ ମହାପାତ୍ର ଓ ପୂର୍ବତନ ସଭାପତି ସମୀର ମହାନ୍ତି। ଏସବୁ ଭିତରେ ମନମୋହନ ମଧ୍ୟ ପ୍ରମୁଖ ଦାବିଦାର। ୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ବାଜିମାତ ତଥା ପ୍ରଥମଥର ପାଇଁ ସରକାର କରିବା ପଛରେ ମନମୋହନ ପ୍ରମୁଖ ଭୂମିକା ନେଇଥିଲେ। ତେବେ ସେ ନିଜେ କମ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହାକୁ ନେଇ ତାଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରିପାରେ ଦଳ। ସେହିପରି ବିଜେପି ଏବଂ ସଂଘ ପରିବାରର ଗୁଡବୁକରେ ଥିବା ଗୋଲକ ମହାପାତ୍ରଙ୍କୁ ମଧ୍ୟ ରାଜ୍ୟସଭା ପଠାଇପାରେ।
ବିଜେପିର କୋର ମେମ୍ବର ଭାବେ ଗୋଲକ ୨୪ ନିର୍ବାଚନ ପରିଚାଳନାରେ ନେଇଥିଲେ ପ୍ରମୁଖ ଭୂମିକା। ଯାହାକୁ ନେଇ ଦଳ ତାଙ୍କ ନାଁରେ ମଧ୍ୟ ମାରିପାରେ ମୋହର। ଅନ୍ୟପଟେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ରାଜ୍ୟସଭା ପାଇଁ ବଡ ଦାବିଦାର। ରାଜ୍ୟର ଅନ୍ୟ ନେତାଙ୍କ ତୁଳନାରେ ବିଜେପିର ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ବଙ୍କ ଗ୍ରହଣୀୟତା ଅଧିକ ରହିଛି। ଏସବୁ ସମୀକରଣ ଦେଖିଲେ ବିଜେପି ହୁଏତ ଏମିତି ନେତାଙ୍କୁ ରାଜ୍ୟ ସଭାକୁ ପଠାଇପାରେ ଯାହା ଦଳକୁ ଆଗାମୀ ସମୟରେ ବେଶ ଫାଇଦା ଦେବ।












Click it and Unblock the Notifications