ରାଜ୍ୟରେ ନାହିଁ ପର୍ଯ୍ୟାପ୍ତ ପରିମାଣର ଟିକା, ଦୁଇ ଦିନରେ ସରିଯିବ !
ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ କୋଭିସିଲ୍ଡ ରହିଛି । ଆଉ ଏହି ଟିକା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଣିଗ୍ରାହୀ ।
ଭୁବନେଶ୍ୱର: ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ କୋଭିସିଲ୍ଡ ରହିଛି । ଆଉ ଏହି ଟିକା ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଣିଗ୍ରାହୀ ।

ସବୁ ଜିଲ୍ଲାରେ କମ ସଂଖ୍ୟକ କୋଭିସିଲଡ଼ ଟିକା ଅଛି । ରାଜ୍ୟରେ ପୂର୍ବରୁ ସବୁ ଜିଲ୍ଲାରେ କୋଭିସିଲଡ଼ ଟିକା ଦିଆଯାଉଥିଲା । ତେଣୁ ପ୍ରିକସନ ଡୋଜ ପାଇଁ ଅଧିକ କୋଭିସିଲ୍ଡ ଦରକାର ହେଉଛି । କିନ୍ତୁ ରାଜ୍ୟରେ ପ୍ରାୟ ୭ ଲକ୍ଷ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ତେଣୁ ପର୍ଯ୍ୟାପ୍ତ ପରିମାଣର କୋଭିସିଲଡ଼ ଓ କୋଭାକ୍ସିନ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ୪ ଲକ୍ଷ ୩୬ ହଜାର ଲୋକ ପ୍ରିକସନ ଡୋଜ ଟିକା ନେଇସାରିଛନ୍ତି । ପ୍ରଥମ ଦିନରେ ୧୮-୫୯ ବର୍ଷର ଲୋକଙ୍କୁ ୯୩,୯୨୮ ଡୋଜ୍ ଦିଆଯାଇ ଥିବା ବେଳେ ଶନିବାର ଦିନ ୧,୨୮,୨୧୩ ଡୋଜ୍ ଦିଆଯାଇ ଥିଲା। ଶୁକ୍ରବାର ଦିନ ୨୨୧୨ ଏବଂ ଶନିବାର ଦିନ ୨୩୦୯ କେନ୍ଦ୍ରରେ ଟିକା ଦିଆଯାଇଥିଲା। ସବୁ ବର୍ଗର ହିତାଧିକାରୀଙ୍କୁ ମିଶାଇ ରାଜ୍ୟରେ ଆଜି ସୁଦ୍ଧା ୨୦,୯୭୯୮୨ ଡୋଜ୍ ବୁଷ୍ଟର ଅବା ପ୍ରତିଷେଧକ ଡୋଜ୍ ଦିଆଗଲାଣି। ପ୍ରଥମ ଦିନରୁ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଶୀଘ୍ର ମାଗଣା ଟିକା ଶେଷ ହୋଇଯାଇଥିଲା। ପରିସ୍ଥିତିକୁ ଦେଖି ରବିବାର ଦିନ ସେସନ୍ ସାଇଟ୍ ସଂଖ୍ୟା ୧୧୦୦କୁ କମାଇ ଦିଆଯାଇଛି।
ତେବେ ଟିକା ନ ଥିବାରୁ ବାଲେଶ୍ୱରରେ ବିଭିନ୍ନ ସେସନ୍ ସାଇଟ୍ରେ ଲୋକେ ହୋ ହାଲ୍ଲା କରିଥିଲେ। ପରିସ୍ଥିତି ଖରାପ ହେବା ପୂର୍ବରୁ ସୋମବାର ଦିନ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ ସ୍ପଟ୍ ଟିକାକରଣ ବନ୍ଦ କରି ଅନ୍ଲାଇନ୍ ସ୍ଲଟ୍ ବୁକ୍ କରିଥିବା ଲୋକଙ୍କୁ ଟିକା ଦେବା ନେଇ ଅଧିକାଂଶ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। ଆଉ କିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଟିକାକରଣ ନେଇ କୌଣସି ଆଗୁଆ ସୂଚନା ଦିଆଯାଇ ନାହିଁ। ଯେଉଁ ଜିଲ୍ଲାରେ ବି ଟିକାକରଣ ଜାରି ରହିଛି ସେଠାରେ ସେସନ୍ ସାଇଟ୍ ସଂଖ୍ୟା ହ୍ରାସ କରାଯାଇଛି।
ଉଲ୍ଲେଖଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ପଜିଟିଭ୍ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି ।












Click it and Unblock the Notifications