ସରିଲା ନାମାଙ୍କନ, ଆଜିଠୁ ନୂଆପଡ଼ାରେ ଜମିବ ପ୍ରଚାର
ସରିଲା ନାମାଙ୍କନ, ଆଜିଠୁ ନୂଆପଡ଼ାରେ ଜମିବ ପ୍ରଚାର। ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା ।
ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ । ଏହାସହ ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ବାଧୀନ ପ୍ରାର୍ଥୀ ମାନେ ହେଲେ ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା,କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ମାଝୀ,ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ,ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି । ସେପଟେ ନାମାଙ୍କନ ସରିଥିବା ବେଳେ ଆଜିଠୁ ଜମିବ ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇବେ ୩ ଦଳର ହେଭିୱେଟ୍ । ବିଜେପି, କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ ଜୋରଦାର ପ୍ରଚାର କରି ନିଜ ସପକ୍ଷରେ ଭୋଟ୍ ହାତେଇବାର ପ୍ରୟାସ କରିବେ । ଅକ୍ଟୋବର ୨୪ (ଶୁକ୍ରବାର) ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

ପ୍ରମୁଖ ତିନି ଦଳର ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏବେ କମ୍ପଛି ପ୍ରଚାର ମୈଦାନ । ଏସବୁ ଭିତରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ନୂଆପଡ଼ାରେ ଆଦିବାସୀ ଭୋଟ ନିର୍ଣ୍ଣାୟକ ହେବ । ସମସ୍ତ ଆଦିବାସୀ ଭୋଟ ବିଜେପି ଖାତାକୁ ଯିବ । ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦିବାସୀ । ରାଜ୍ୟରେ ୧୮ ବିଧାୟକ ଓ ୪ ଆଦିବାସୀ ବିଜେପି ସାଂସଦଙ୍କୁ ଓଡ଼ିଶାବାସୀ ନିର୍ବାଚିତ କରିଛନ୍ତି। ତେଣୁ ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କୁ ଆଦିବାସୀ ଭୋଟରଙ୍କ ସମର୍ଥନ ନିଶ୍ଚୟ ମିଳିବ । ଆଦିବାସୀଙ୍କ କଲ୍ୟାଣ ପାଇଁ ସମସ୍ତ ଜନକଲ୍ୟାଣ ଯୋଜନା ଆଣିଛି ବିଜେପି । ଉପନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ । ତେବେ ମୁଁ ପ୍ରସ୍ତୁତ ଅଛି । ଦଳ ପ୍ରଚାର ପାଇଁ ଯେତେବେଳେ ନିର୍ଦ୍ଦେଶ ଦେବ, ସେତେବେଳେ ପ୍ରଚାର କରିବାକୁ ଯିବି।
ତେବେ ଜୁଏଲ ଓରାମଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶା । ସେ କହିଛନ୍ତି ଯେ, ବିଜେପି ସରକାର ଆଦିବାସୀ ବିରୋଧୀ । ଆଦିବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ଖେଳ ଖେଳୁଛି। ଆଦିବାସୀଙ୍କ ପାଇଁ ଥିବା ପାଣ୍ଠିକୁ ଏ ସରକାର କାଟିଛନ୍ତି। ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀଙ୍କୁ ରାଜ୍ୟରେ ପ୍ରତାରଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ କହିପାରିବେ କି ରାଜ୍ୟରେ ଆଦିବାସୀଙ୍କ ପାଇଁ କ'ଣ କରିଛନ୍ତି। କେବଳ ବିଜେଡି ଆଦିବାସୀଙ୍କ ପାଇଁ କରିଥିବା ଯୋଜନା ବନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ତେଣୁ ନୂଆପଡ଼ାର ଆଦିବାସୀ ଭାଇ ଭଉଣୀ ମାନେ ଏ କଥା ଜାଣିଛନ୍ତି। ସବୁ ଆଦିବାସୀ ଭୋଟ ବିଜେଡି ଖାତାକୁ ଯିବା। ବିଜେଡି ଏଠାରେ ବଡ଼ ବ୍ୟବଧାନରେ ବିଜୟୀ ହେବ












Click it and Unblock the Notifications