ଆଜି ନାମାଙ୍କନ: କିଏ ହେବେ ରାଜ୍ୟ ବିଜେପି ସଭାପତି ?
କିଏ ଧରିବେ ରାଜ୍ୟ ବିଜେପିର ନୂଆ ମଙ୍ଗ । ରିପିଟ ହେବେ ମନମୋହନ ନା ଆଉ କାହା ମୁଣ୍ଡରେ ଢଳାଯିବ ସୁନାକଳସ । ବିଜେପି ରାଜ୍ୟ ସଭାପତି ପଦକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ ଆଉ ଆସନ୍ତାକାଲି ଘୋଷଣା ହେବ ନୂଆ ସଭାପତିଙ୍କ ନାମ ।
ଆଜି ନାମାଙ୍କନ ଦାଖଲ:
ରାଜ୍ୟ ବିଜେପି ସଭାପତି ପଦକୁ ନେଇ ରାଜ୍ୟରେ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଛି । କିଏ ହେବେ ନୂଆ ମଙ୍ଗୁଆଳ । ମନମୋହନଙ୍କୁ ରିପିଟ କରିବ କି ଦଳ ? ନା ରେସ୍ରେ ନୂଆ ଚେହେରା । ତେବେ ଏହି ପଦବୀ ପାଇଁ ଆଜି(ସୋମବାର) ନାମାଙ୍କନ ରହିଛି ।

ଦିନ 11ଟାରୁ 2ଟା ଯାଏଁ ନାମାଙ୍କନ ଦାଖଲ ହେବ
3ଟା ମଧ୍ୟରେ ନାମାଙ୍କନ ଉପରେ ଆପତ୍ତି ଅଭିଯୋଗ ଯାଞ୍ଚ ହେବ
ଅପରାହ୍ଣ 4ଟା ସୁଦ୍ଧା ସୂଚୀ ପ୍ରକାଶ ପାଇବ ଓ ଚିହ୍ନ ବଣ୍ଟା ଯିବ
ଯଦି ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି ତେବେ ଆସନ୍ତାକାଲି(ଜୁଲାଇ 8)ରେ ଭୋଟିଂ ହେବ
ଜୁଲାଇ ସକାଳ 9ଟାରୁ 11ଟା ଯାଏଁ ମତଦାନ କରାଯିବ
ଦିନ ସାଢେ 11ଟା ସୁଦ୍ଧା ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବ
ଗତକାଲି(ଜୁଲାଇ 6)ରେ ମତଦାତା ତାଲିକା ପ୍ରକାଶ ପାଇଛି
ବିଜେପି ସଭାପତି ରେସ୍ରେ କିଏ ?
ବିଜେପିର ନୂଆ ସଭାପତି କିଏ ହେବେ, ସୋମବାର ସୁଦ୍ଧା ସେହି ଚିତ୍ର ସ୍ପଷ୍ଟ ହୋଇଯିବ । ଅନ୍ୟ ରାଜ୍ୟର ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ଦେଖିଲେ ଏଥିରେ ଏକାଧିକ ନେତା ଗୋଟିଏ ପଦ ପାଇଁ ନାମାଙ୍କନ ଭରିବାର ପରମ୍ପରା ନାହିଁ । ଅର୍ଥାତ୍ କେନ୍ଦ୍ରରୁ ଯାହା ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ, ସେ ହିଁ ରାଜ୍ୟ ବିଜେପି ପାଇଁ ନାମାଙ୍କନ ଭରିବେ ଓ ମୁଖିଆ ନିର୍ବାଚିତ ହେବେ । ତେବେ ପଡ଼ୋଶୀ ପଶ୍ଚିମବଙ୍ଗ ଫର୍ମୁଲା ଭଳି ଏଥର ଦଳ ନୂଆ ନେତାଙ୍କୁ ଦାୟିତ୍ୱ ଦେଇପାରେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଆଉ କିଛି ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ମନମୋହନ ପୁଣି ରିପିଟ୍ ହୋଇପାରନ୍ତି । ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ ସରକାର କରିଛି । ଏଣୁ ସେ ପୁଣି ପୁରସ୍କୃତ ହେବେ ।
ରବିବାର ବିଜେପି ପକ୍ଷରୁ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇଛି । ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ଗୋଟିଏ ତାଲିକା ବାହାରିଛି । ଏଥିରେ ୨୭୩ ଜଣଙ୍କ ନାଁ ରହିଛି । ଏହି ମତଦାତା ତାଲିକାରେ ଦଳର ବହୁ ତୃଣମୂଳସ୍ତରର ନେତାଙ୍କ ସହିତ ଅଳ୍ପ କିଛି ବିଧାୟକ ଓ ସାଂସଦ ରହିଛନ୍ତି । ୭ ତାରିଖ ବା ସୋମବାର ଦିନ ୧୧ଟାରୁ ୨ଟା ଯାଏ ନାମାଙ୍କନପତ୍ର ଦାଖଲ କରାଯିବ । ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ଉପରେ ଆପତ୍ତି ଅଭିଯୋଗର ଯାଞ୍ଚ ହେବ । ଅପରାହ୍ନ ୪ଟା ସୁଦ୍ଧା ଅନ୍ତିମ ପ୍ରାର୍ଥୀ ସୂଚୀ ପ୍ରକାଶ ପାଇବ ଓ ଚିହ୍ନ ବଣ୍ଟାଯିବ । ଯଦି କୌଣସି ପଦରେ ଏକାଧିକ ପ୍ରାର୍ଥୀ ନାମାଙ୍କନ କରିବେ ତେବେ ୮ ତାରିଖ ବା ମଙ୍ଗଳବାର ଭୋଟିଂ ହେବ । ସକାଳ ୯ଟାରୁ ୧୧ଟା ଯାଏ ମତଦାନ ଚାଲିବ । ଦିନ ସାଢ଼େ ୧୧ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ନୋଟିସ୍ ଜାରି କରିଛନ୍ତି । ନିର୍ବାଚନ ପାଇଁ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନିର୍ବାଚନର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ନିର୍ବାଚନ ଅଧିକାରୀ ତଥା ବିହାର ସାଂସଦ ସଞ୍ଜୟ ଜୟସ୍ୱାଲ ସୋମବାର ରାଜଧାନୀରେ ପହଞ୍ଚିବେ ।
ଶ୍ରୀ ତୋମାର କହିଛନ୍ତି, ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେବ । ଯଦି ଜଣେ ପ୍ରାର୍ଥୀ ହୁଅନ୍ତି ତେବେ ସର୍ବସମ୍ମତି ଭାବେ ତାଙ୍କ ନାଁ ଘୋଷଣା କରାଯିବ । ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଆମ ବ୍ୟବସ୍ଥା ଓ ବିଚାରଧାରାରେ ବ୍ୟକ୍ତିଗତ ଶ୍ରେୟ ନାହିଁ । ରାଜ୍ୟ ସଭାପତି ନେଇ ଆମ ଦଳ ନିଷ୍ପତ୍ତି ନେବ । ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଦଳ ପାଇଁ କାମ କରୁଛି ଓ ଆଗକୁ ବି କରିବି ।
ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆଗକୁ ବିଜେପିର ଏକ ସ୍ୱତନ୍ତ୍ର ଟିମ ହେବ । ସରକାର ଆଉ ସଂଗଠନ ଭିତରେ ସମନ୍ୱୟ ରଖିବାକୁ ଏହି ଟିମ୍ କାମ କରିବ । ମୁଁ ରାଜ୍ୟ ସଭାପତି ପାଇଁ ଆଶାୟୀ ନାହିଁ । ମୋତେ ଯାଚି କି ଦେଲେ ବି ମୁଁ ସଭାପତି ହେବିନି ବୋଲି ସେ କହିଛନ୍ତି ।












Click it and Unblock the Notifications