ରାଜ୍ୟରେ ବଜ୍ରପାତ ନେଇଛି କେତେ ଜୀବନ ? ଉତ୍ତର ରଖିଥିଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ଗତ ୩ ବର୍ଷ ମଧ୍ୟରେ ସାରା ରାଜ୍ୟରେ ବଜ୍ରପାତ ଯୋଗୁଁ କେତେ ଜଣଙ୍କ ମୃତ୍ୟୁ ହୋଇଛି ? ଏନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ଯାହାର ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ରାଜ୍ୟରେ ୮୮୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହାସହ ୫୨ ଜଣ ଆହତ ହୋଇଛନ୍ତି । ଏଥିପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ଯଥାକ୍ରମେ ୩୫ କୋଟି ୨୪ ଲକ୍ଷ ଟଙ୍କା ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଛି । ସେହିପରି ୨ ଲକ୍ଷ ୬୫ ହଜାର ୬୦୦ ଟଙ୍କା ଆହତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା କହିଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ସେହିପରି ରାଜ୍ୟରେ ବଜ୍ରପାତର ଆଗୁଆ ସୂଚନା ଜାଣିବା ପାଇଁ ଓଏସଡିଏମଏ ତରଫରୁ ଅନ୍ତର୍ଜାତୀୟ ସଂସ୍ଥା 'ଅର୍ଥ ନେଟୱାର୍କ' ସହ ଏକ ଚୁକ୍ତିନାମା ସ୍ୱାକ୍ଷାର କରାଯାଇଛି । ଅର୍ଥ ନେଟୱାର୍କ ରାଜ୍ୟର ୮ ଗୋଟି ସ୍ଥାନ ଯଥା- କେନ୍ଦୁଝର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ୱର, କଟକ ଓ ପାଣିକୋଇଲିଠାରେ ଲାଇଟନିଂ ଡିଟେକ୍ସନ ସେନ୍ସର ବସାଯାଇଛି । ଏହି ସେନ୍ସର ମାଧ୍ୟମରେ ୨୦୦ରୁ ୨୫୦ କିମି ମଧ୍ୟରେ ବଜ୍ରପାତର ସ୍ଥାନ ଜଣା ପଡିଥାଏ ।
ଏହା ବ୍ୟତୀତ ଅର୍ଥ ନେଟୱାର୍କ ଦ୍ୱାରା ସ୍ଥାପିତ ପାରିପାର୍ଶ୍ୱିକ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡରେ ଥିବା ଡିଟେକ୍ସନ ସେନ୍ସର ମାଧ୍ୟମରେ ମଧ୍ୟ ରାଜ୍ୟରେ ବଜ୍ରପାତ ହେବା ସ୍ଥାନର ସୂଚନା ମିଳି ପାରୁଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ ।












Click it and Unblock the Notifications