ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ସ୍ଥିତି ଦେଖି ହୀରାକୁଦ ଗେଟ ଖୋଲିବ: ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ଆଗାମୀ ଚାରି ପାଞ୍ଚ ଦିନ ଯାଏ ବର୍ଷା ବି ହେବାର ନାହିଁ । ଉପରମୁଣ୍ଡ ଛତିଶଗଡରେ ବର୍ଷା ନାହିଁ। କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଭେଡେନ ଓ ଇବ ଅବବାହିକାରେ ବର୍ଷା ହୋଇଛି । ତେଣୁ ଗେଟ୍ ଖୋଲିଛି ।
ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଛି। ହୀରାକୁଦର ୬ଟି ଗେଟ ଖୋଲା ଅଛି। ସ୍ଥିତି ଦେଖି ଆଉ ଗେଟ ଖୋଲିବା ନେଇ ଚିନ୍ତା କରାଯିବ। ହେଲେ ଆଉ ଗେଟ ଖୋଲିବନି। ହୀରାକୁଦ ପୁରା ସୁରକ୍ଷିତ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୯.୪ ଫୁଟ ପାଣି ଅଛି ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ।
ସେହିପରି ବୈତରଣୀରେ ଜଳସ୍ତର ବଢିଛି । ସୁବର୍ଣରେଖା ଓ ବୁଢାବାଳଙ୍ଗ ବେସିନରେ ବର୍ଷା ହୋଇଛି। ଜଳକା ବିପଦସଂକେତ ତଳେ ଥିଲା।

ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ 5.5 ମିଟର ଥିବାବେଳେ ସକାଳ 6 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.32 ମିଟରରେ ପହଞ୍ଚିଥିଲା । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି ।
ସେହିପରି ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ନଦୀର ବିପଦ ସଂକେତ 17.83 ମିଟର ଥିବା ବେଳେ ଏବେ 17.91 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।
ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି । ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢୁଛି ।
ହେଲେ କେଉଁଠି ବି ଚିନ୍ତାଜନକ ସ୍ଥିତି ନାହିଁ । ଆଜି ହିଁ ପାଣି ଖସିଯିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି ।












Click it and Unblock the Notifications