ଅଯୋଗ୍ୟ ଏବେ କାର୍ଡ ଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବନି: କୃଷ୍ଣଚନ୍ଦ୍ର ପାତ୍ର
ନୂଆ ହିତାଧିକାରୀଙ୍କୁ ରାସନ୍କାର୍ଡ ପ୍ରଦାନ କରିବାକୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ରାସନ୍ କାର୍ଡ ହାତେଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିଛନ୍ତି ଯେ ଏବେ କାର୍ଡ ଫେରାଇ ଦିଅ, କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ପରେ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଯାହାର ମାସିକ ୧୦ହଜାର ଟଙ୍କା, ସହରାଞ୍ଚଳରେ ଯାହାର ମାସିକ ୧୫ହଜାର ଟଙ୍କାରୁ ଅଧିକ ଆୟ ଅଛି ସେମାନେ ରାସନ୍ କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି। ଯଦି ଏହିଭଳି କେହି ରାସନ୍ କାର୍ଡ ହାତେଇଛନ୍ତି ତେବେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ । ଏବେ ଆମେ ଅପିଲ୍ କରୁଛୁ, ଭଲରେ କାର୍ଡ ଫେରାଇ ଦିଅ। ନହେଲେ ପରେ ପୁଣି ଥରେ ସମସ୍ତ ହିତାଧିକାରୀଙ୍କର ଯାଞ୍ଚ ହେବ। ସେତେବେଳେ ଅଯୋଗ୍ୟ ବୋଲି ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ମନ୍ତ୍ରୀ କହିଛନ୍ତି ଯେ ଏବେ ପ୍ରାୟ ୮୦ହଜାର ଅଯୋଗ୍ୟ ହିତାଧିକାରୀ ୧୨ହଜାରରୁ ଅଧିକ କାର୍ଡ ଫେରାଇ ସାରିଲେଣି । ଏବେ ବି ବହୁ ଲୋକ କାର୍ଡ ଫେରାଉଛନ୍ତି । ବର୍ତ୍ତମାନ ସୁଦ୍ଧା ସାଢ଼େ ୪ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଲେଣି । ୪ଲକ୍ଷ ମୃତ ହିତାଧିକାରୀଙ୍କ ନାମ କାର୍ଡରୁ କଟା ହେଲାଣି । ଏହାବ୍ୟତୀତ ଯେଉଁମାନେ ଆୟକର ରିଟର୍ଣ୍ଣ ଦେଉଥିବା ସତ୍ତ୍ବେ ରାସନ୍ କାର୍ଡ ହାତେଇଛନ୍ତି ସେମାନଙ୍କର ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ। ତେଣୁ ଏବେ ଯେତିକି ହିତାଧିକାରୀ କମିବେ ସେହି ଅନୁଯାୟୀ ନୂଆ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ।
ମାର୍ଚ୍ଚ ୧ରୁ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିଥିବାବେଳେ ପ୍ରାୟ ଦେଢ଼ ହଜାର ଲୋକ ଆବେଦନ କରିଛନ୍ତି । ପୂର୍ବରୁ ୬ଲକ୍ଷ ଆବେଦନକାରୀ ଅଛନ୍ତି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ଶୀଘ୍ର ରାସନ୍ କାର୍ଡ ପ୍ରଦାନ କରାଯିବ ।












Click it and Unblock the Notifications