ମେଣ୍ଟ ନେଇ ଆଲୋଚନା ହୋଇ ନଥିବା କହିଲେ ନବୀନ; ନୀତୀଶ କହିଲେ, ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଆସିଥିଲି
ଭୁବନେଶ୍ୱର: ନବୀନ ନିବାସରେ ନବୀନ-ନୀତିଶ ଭେଟଘାଟ୍ । ମଧ୍ୟାହ୍ନ ଭୋଜନ ସରିଲା । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ଦୁଇ ମୁଖ୍ୟମନ୍ତ୍ରୀ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଆମେ ପୁରୁଣା ବନ୍ଧୁ, ତେଣୁ ତାଙ୍କୁ ଭେଟିବାକୁ ଆସିଥିଲି ।
ଉଲ୍ଲେଖଥାଉ କି, ଆଜି (ମଙ୍ଗଳବାର) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ ଜାତୀୟ ସଭାପତି ରାଜୀବ ରଞ୍ଜନ ଏବଂ ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଝାଙ୍କ ସହ ଭୁବନେଶ୍ୱରରେ ପହଞ୍ଚିଥିଲେ । ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଏକତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ନୀତିଶ ଆଜି ଅପରାହ୍ନରେ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ତେବେ ଦୁଇ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ପ୍ରାୟ ଏକ ଘଣ୍ଟିଆ ବୈଠକ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକ ପରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ମୁଁ ଖୁସି ଯେ ନୀତିଶଜୀ ଭୁବନେଶ୍ୱରରେ ଅଛନ୍ତି। ଆମେ ପୁରୁଣା ବନ୍ଧୁ ଏବଂ ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ ବୋଲି ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୁରୀରେ 1.5 ଏକର ଜମି ମାଗଣାରେ ବିହାର ସରକାରଙ୍କୁ ଏକ ଗେଷ୍ଟ ହାଉସ୍ ପାଇଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଯାହା ଦ୍ୱାରା ବିହାରର ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନେ ସେଠାରେ ରହିପାରିବେ । ରାଜନୀତିରେ ସେମାନଙ୍କର ଆଲୋଚନା ବିଷୟରେ ପଚରାଯିବାରୁ ଓଡିଶା ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମର ନିବିଡ ବନ୍ଧୁତା ଏବଂ ଆମେ ବହୁ ବର୍ଷ ପୂର୍ବେ ସହକର୍ମୀ ଥିଲୁ । ଆଜି କୌଣସି ମେଣ୍ଟ ବିଷୟରେ ଆଲୋଚନା ହୋଇନାହିଁ। "
ଅନ୍ୟପକ୍ଷରେ ନୀତୀଶ କହିଛନ୍ତି, "ମୁଁ ମୋର ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଏଠାକୁ ଆସିଥିଲି । ମୁଁ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ନିକଟତର ଥିଲି । ଆମେ ଘନିଷ୍ଠ ବନ୍ଧୁ । ଦୀର୍ଘ ଦିନ ପରେ ମୁଁ ନବୀନ ବାବୁଙ୍କୁ ଭେଟି ଖୁସି ଅଛି । "

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ ଆରମ୍ଭ ହୋଇଛି । ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେହି କ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନ ତଳେ ଭେଟିଥିଲେ ନୀତିଶ । ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ ।

ସୂଚନାଥାଉ କି, ପୂର୍ବରୁ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆସିଥିଲେ । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କୁହାଯାଉ ଥିଲା । ମାତ୍ର ବିଜେପି ବିରୋଧୀ ମେଣ୍ଟ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ଧରିଥିଲା ।












Click it and Unblock the Notifications