ଶୀତରୁ ମିଳିଲା ସାମାନ୍ଯ ଆଶ୍ଵସ୍ତି, ଆସନ୍ତା କାଲି କିଛି ଜିଲ୍ଲାରେ ହୋଇପାରେ ବର୍ଷା
ଭୁବନେଶ୍ବର: ଶୀତରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ଯ ଆଶ୍ଵସ୍ତି। ଗତ ଦୁଇ ସପ୍ତାହ ଧରି ସମଗ୍ର ରାଜ୍ୟରେ ଚାଲିଥିବା ପ୍ରବଳ ଶୀତ ଲହରର ପ୍ରଭାବ ସାମାନ୍ଯ ହ୍ରାସ ପାଇଛି। କୋହଲା ପାଗ ସାଙ୍ଗକୁ ଥଣ୍ଡା ପାଗ ରାଜ୍ୟର ଉତ୍ତର ତଥା ପଶ୍ଚିମ ଓଡିଶା ସମେତ ବିଭିନ୍ନ ଜିଲ୍ଲାରେ ହାଡଥରାଇବାରେ ଲାଗିଥିଲା। ତେବେ ଅଜିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଦୁଇ ରୁ ତିନି ଡିଗ୍ରୀ ବୃଦ୍ଧି ପାଇଛି। ସେହିପରି ଶୀତ ଲହରରେ ସାମାନ୍ଯ ହ୍ରାସ ଘଟିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଏହା ପ୍ରଭାବରେ ରାଜ୍ୟରେ ଶୀତ ଆହୁରି କମିବ । ଏଥିସହ ୨୭ ଓ ୨୮ ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟର ୧୧ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଆସନ୍ତା ଦୁଇ ଦିନରେ ରାଜ୍ୟର ରାତ୍ରି ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ୧ ରୁ ୨.୪ ଡିଗ୍ରି ଯାଏଁ ବୃଦ୍ଧି ହୋଇଛି । ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ୨.୨ ଡିଗ୍ରି ଯାଏଁ ବୃଦ୍ଧି ହୋଇଛି।












Click it and Unblock the Notifications