ଓଡ଼ିଶାରେ ଲାଗୁହେଲା ନୂଆ ନିୟମ, ପ୍ରଦୂଷଣ ପ୍ରମାଣପତ୍ର ଦେଖେଇଲେ ମିଳିବ ତେଲ
ଦିଲ୍ଲୀ ପରେ ଏବେ ଓଡ଼ିଶାରେ ଲାଗୁହେଲା ନୂଆ ନିୟମ। ପ୍ରଦୂଷଣ ରୋକିବାକୁ ସରକାର ନେଲେ ବଡ଼ ନିଷ୍ପତ୍ତି। ଗ୍ରାହକଙ୍କ ମାନେ ଜାଣି ରଖନ୍ତୁ ଏହି ଖବର। ଏଣିକି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ ପମ୍ପରେ ତେଲ। ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି।

କ'ଣ ନିୟମ: ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆ ଯାଇଛି।
ଏ ସଂକ୍ରାନ୍ତରେ ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖାଯାଇଛି । ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣାବତ୍ତା ମାନକୁ ଉନ୍ନତ ରଖାଯିବ ବୋଲି ବିଶେଷ କରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ କରାଯାଇପାରିବ ବୋଲି ଆଶା କରାଯାଇଛି। ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ ଏଥିପାଇଁ ଗାଡ଼ି ଗୁଡିକୁ ନିୟମିତ ବ୍ୟବଧାନରେ ପଞ୍ଜିକୃତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କରାଇବାକୁ ହୋଇଥାଏ।
ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ ରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ବ୍ୟବହାରକାରୀଙ୍କୁ ନିବେଦନ କରାଯାଇଛି ଯେ, ସର୍ବଦା ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରଖନ୍ତୁ ।












Click it and Unblock the Notifications