ଆଜିଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଯିବେ ଲୋକସେବା ଭବନ
ଆଜି ତୃତୀୟ ମହଲାରେ ପ୍ରବେଶ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ୯ଟା ୩୦ ଏଥିପାଇଁ ଶୁଭ ସମୟ ନିର୍ଘଣ୍ଟ କରାଯାଇଛି । ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ । ତେବେ ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନଥିଲେ ।
ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲି କାମ କରୁଥିଲେ । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଛି। ଆଜି ସେହି ପ୍ରକୋଷ୍ଠରେ ବସି କାର୍ୟ୍ୟ କରିବେ ମୋହନ ମାଝୀ । ସକାଳ ୯ଟା ୩୦ରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ଲୋକସେବା ଭବନ ଯିବେ ମୋହନ ।
ସଚିବାଳୟରେ ନିଜ କାର୍ଯ୍ୟାଳୟରେ ବିଧବଦ୍ଧ ଭାବେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ରାଜ୍ୟ ଅତିଥ୍ ଭବନରେ ଚାଲିଥିଲା ।
ଆଜି ମୁଖ୍ୟମନ୍ତ୍ରୀ ରାଜସ୍ବ ବିଭାଗର ବାର୍ଷିକ ବୈଠକରେ ଯୋଗ ଦେବେ । ଏହି କମିଟିରେ ମୁଖ୍ୟ ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ଅନେକ ମନ୍ତ୍ରୀ, ସାଂସଦ ସଦସ୍ୟ ଅଛନ୍ତି ।

ଏହା ସହ କମିଟିରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ବ ସଚିବ ତଥା ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିବେ। ବୈଠକରେ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟ ପ୍ରାକୃତିକ ଦୁର୍ବିପାକ ନେଇ ଦୀର୍ଘ ମିଆଦୀ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ। ଏହା ସହ ଦୁର୍ବଳ ନଦୀବନ୍ଧ ର ସ୍ଥିତି ଓ ମରାମତି, ରିଲିଫ ପ୍ରସ୍ତୁତି, ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସମ୍ଭାବନା ରହିଛି। ଗତ ବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ବିବରଣୀ ଉପସ୍ଥାପନ କରାଯାଇ ଏହାର ସମୀକ୍ଷା କରାଯିବ ବୋଲି ସୂଚନା ରହିଛି।
ତେବେ ୨୦୨୦ ମସିହା କୋଭିଡ ସମୟରୁ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏହି ତୃତୀୟ ମହଲା କାର୍ୟ୍ୟାଳୟକୁ ଯାଉ ନଥିଲେ । ୨୦୨୦ ମାର୍ଚ୍ଚରୁ ସେ ମାତ୍ର ୨ ଥର ସେହି କାର୍ୟ୍ୟାଳୟକୁ ଯାଇଥିଲେ ।












Click it and Unblock the Notifications