ରାଜ୍ୟ ସୂଚାନ ଓ ଲୋକସଂପର୍କ ବିଭାଗ ତରଫରୁ ନେତାଜୀ ଜୟନ୍ତି ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଦୁଇ ମହାନାୟକଙ୍କ ସ୍ମୃତିକୁ ସ୍ମରଣ କରି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଭୁବନେଶ୍ୱର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଦୁଇ ମହାନାୟକଙ୍କ ସ୍ମୃତିକୁ ସ୍ମରଣ କରି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ସହିତ ଭିଏସ୍ଏସ୍ ନଗରଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ
ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରତିମୂର୍ତ୍ତି ସ୍ଥଳକୁ ପୁଷ୍ପସଜ୍ଜିତ କରାଯିବା ସହିତ କୋଭିଡ୍ ମାର୍ଗଦର୍ଶିକାର ଅନୁପାଳନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗର ସଂପାଦକ ଡକଫର ଲେନିନ୍ ମହାନ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଣ୍ଟିଆ,
ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଭି.ଏସ୍.ଏସ୍. ନଗରର ମୂଳ ସ୍ଥାୟୀ ବାସିନ୍ଦା ଆଦିତ୍ୟ ପ୍ରସାଦ ଦାସ ଏବଂ ବହୁ ବିଭାଗୀୟ ଅଧିକାରୀମାନେ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତର ସ୍ୱାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ଥିଲେ ଜଣେ ସଂକଳ୍ପବଦ୍ଧ, ସ୍ଥିର, ଅବିଚଳିତ ଏବଂ ଅତ୍ମପ୍ରତ୍ୟୟୀ ଯାତ୍ରୀ । କଟକରୁ ସୁଦୂର ବିଲାତ ଏବଂ ପୁନଃ ଭାରତ ଫେରି ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିବାର ଦୁର୍ବାର ଯାତ୍ରାପଥ କେତେ ଯେ କଣ୍ଟକିତ ଥିଲା ତାହା ଅକଳନୀୟ । ଦେଶକୁ ସ୍ୱାଧୀନ କରିବାକୁ ନେତାଜୀଙ୍କର ଥିଲା ସ୍ୱତନ୍ତ୍ର ରଣନୀତି । ତାଙ୍କର ଆହ୍ୱାନ ଥିଲା ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି । ସୁଭାଷଙ୍କ ନେତୃତ୍ୱରେ ଗଢ଼ି ଉଠିଥିଲା 'ଆଜାଦ ହିନ୍ଦ୍ ଫୌଜ' ଏବଂ ଏହାର ଧ୍ୱନି ଥିଲା 'ଦିଲ୍ଲୀ ଚଲୋ' । ମାତୃଭୂମିର କଲ୍ୟାଣସାଧନ ପାଇଁ ନେତାଜୀ ସୁଭାଷ କେତେ ଥର ଯେ ନିଜର ଜୀବନକୁ ମୃତୁ୍ୟର ଅର୍ଗଳ ମଧ୍ୟକୁ ଠେଲି ଦେଇଛନ୍ତି ଇତିହାସ ତାକୁ ହିସାବ ରଖିବାକୁ ଅସମର୍ଥ ହୋଇଛି ।
ଅନ୍ୟପଟେ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇ ବୀର ସୁରେନ୍ଦ୍ର ସାଏ ଅବିଶ୍ରାନ୍ତ ସଂଗ୍ରାମ ଜାରି ରଖିଥିଲେ । ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ନିରବଚ୍ଛିନ୍ନ ସଂଗ୍ରାମ ଅତ୍ୟାଚାରୀ ବି୍ରଟିଶ ଶାସନକୁ ଅସହାୟ କରିଦେଇ ଥିଲା । ଜୀବନର ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ସୁରେନ୍ଦ୍ର ସାଏ ପରାଧୀନତା ବା ବଶ୍ୟତା ସ୍ୱୀକାର ନକରି ବି୍ରଟିଶ ଶାସନକୁ ମୁହଁତୋଡ ଜବାବ ଦେଇଥିଲେ ।
ବି୍ରଟିଶ ସାମ୍ରାଜ୍ୟବାଦ ବିରୋଧରେ ଜଣେ ଯୋଦ୍ଧା ସଂଗ୍ରାମ କରି ଚାରି ଦଶନ୍ଧିକାଳ କରାବରଣ କରିବା ଭାରତ ଇତିହାସରେ ବିରଳ । ଏହି ଦୁଇ ମହାନାୟକଙ୍କ ଜୀବନାଦର୍ଶ ଚିରକାଳ ପାଇଁ ଭାରତବାସୀଙ୍କ ପାଇଁ ପ୍ରେରଣାଦାୟୀ ଏବଂ ପ୍ରାତଃସ୍ମରଣୀୟ ।












Click it and Unblock the Notifications