ମାଲକାନଗିରି ପିଏ ମୃତ୍ୟୁ ମାମଲା:IAS ମନୀଷ ଅଗ୍ରୱାଲଙ୍କ ନାଁରେ ଏନଡବ୍ଲୁ ଜାରି
ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ । ବାରମ୍ୱାର ନୋଟିସ୍ ପରେ ବି ହାଜର ହୋଇନଥିଲେ ମନୀଷ । ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ନୋଟିସ ସତ୍ତ୍ୱେ ହଜାର ହୋଇ ନଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ମନୀଷ ।
ସୂଚନା ଅନୁସାରେ ଗତ ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ନିଖୋଜ ହୋଇଯାଇଥିଲେ ସେତେବେଳର ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଥିବା ମନୀଷ ଅଗ୍ରଓ୍ଵାଲଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡା। ନିଖୋଜ ହେବାର ପରଦିନ ଅର୍ଥାତ ୨୦୧୯ ମସିହା ଡିସେମ୍ବର ୨୮ ତାରିଖରେ ସତୀଗୁଡ଼ା ଡ୍ୟାମରୁ ଦେବନାରାୟଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ତେବେ ମୃତ ଦେବନାରାୟଣ ପଣ୍ଡାଙ୍କ ସ୍ତ୍ରୀ ଆଣିଥିଲେ ହତ୍ୟା ଅଭିଯୋଗ। ମନୀଷ ଅଗ୍ରଓ୍ଵାଲ ଏବଂ ତାଙ୍କର ଅନ୍ୟ ତିନିଜଣ ସହଯୋଗୀ ମିଶି ଦେବନାରାୟଣଙ୍କୁ ହତ୍ୟା କରିଥିବା ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ ମୃତକଙ୍କ ପତ୍ନୀ। ଅଭିଯୋଗ ଆଧାରରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ତେବେ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମାଲକାନଗିରି ଏସଡିଜେଏମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମୃତକଙ୍କ ପରିବାର ଲୋକ। ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମନୀଷ ଅଗ୍ରଓ୍ଵାଲଙ୍କ ସମେତ ୪ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ତଳ କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ।
ହାଇକୋର୍ଟ ହତ୍ୟା ଅଭିଯୋଗକୁ ଖାରଜ କରିବା ସହ ଆତ୍ମହତ୍ୟା ପାଇଁ ଉସକେଇବା ଅନ୍ତର୍ଗତ ମାମଲା ବିଚାର ପ୍ରକ୍ରିୟାକୁ ୮ ମାସ ମଧ୍ୟରେ ଶେଷ କରିବା ଲାଗି ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମନୀଷ ଅଗ୍ରଓ୍ଵାଲ। ତେବେ ମନୀଷ ଅଗ୍ରଓ୍ଵାଲଙ୍କ ଆବେଦନକୁ ଖାରଜ କରିବା ସହ ତଳ କୋର୍ଟରେ ମାମଲାର ବିଚାର କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।












Click it and Unblock the Notifications