Navy day: ପୁରୀ ବ୍ଲୁ ଫ୍ଲାଗ ବିଚରେ ଯୁଦ୍ଧକୌଶଳ ଦେଖାଇବାକୁ ପ୍ରସ୍ତୁତ ନୌସେନା; ରଣଭୂମିର ଭ୍ରମ ସୃଷ୍ଟି କରୁଛି ବିଚ୍
ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି । ଆସନ୍ତା ଡିସେମ୍ବର ୪ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନା ଶତ୍ରୁକୁ କିଭଳି ମାତ୍ ଦିଆଯାଏ ସେନେଇ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବ । ଏଥିପାଇଁ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଯବାନ ମାନେ ଯୁଦ୍ଧାଭ୍ୟାସ ଜାରି ରଖିଥିବାବେଳେ ବ୍ଲୁ ଫ୍ଲାଗ ବିଚ ଏବେ ଯୁଦ୍ଧର ରଣକ୍ଷେତ୍ର ପରି ମନେ ହେଉଛି ।
ନୌସେନାର ଲଢୁଆ ଯବାନ ବ୍ଲୁ ଫ୍ଲାଗ ବିଚରେ ପ୍ରତିକୂଳ ପାଗକୁ ଖାତିର ନକରି ବିଭିନ୍ନ ଦୁଃସାହସିକ ଯୁଦ୍ଧ କଳା କୌଶଳ ଅଭ୍ୟାସ ଜାରି ରଖିଛନ୍ତି । ବେଳାଭୂମିରେ ଜିପ୍ ଯୁଦ୍ଧ କୌଶଳ, ଲ୍ୟାଣ୍ଡମାଇନ ବିସ୍ପୋରଣ, ଯୁଦ୍ଧ ହେଲିକପ୍ଟରର ଦୁଃସାହସିକ ଉଡାଣ କୌଶଳ ପ୍ରଦର୍ଶନ, ଫ୍ଲାଗ ମାର୍ଚ୍ଚ, ସମୁଦ୍ର ଭିତରୁ ଉଦ୍ଧାର କାର୍ଯ୍ୟ, ଟ୍ୟାଙ୍କ ଗୁଡିକର ଯୁଦ୍ଧ କୌଶଳ, କମାଣ୍ଡଙ୍କ ବନ୍ଧୁକ ଚାଳନା, ଜାହାଜରେ ଯୁଦ୍ଧ ହେଲିକପ୍ଟରର ଅବତରଣ ଏବଂ ଉଡ଼ାଣ, ହେଲିକପ୍ଟରରୁ ଗୋଳା ବର୍ଷଣ, ଜେଟ୍ ବିମାନ ଗୁଡିକର ଯୁଦ୍ଧ କଳା ଏବଂ ଗୋଳା ବର୍ଷଣ, ଆଣ୍ଟି ଏୟାର ଡିଫେନ୍ସ କୌଶଳ, ଯୁଦ୍ଧ ଜାହାଜରୁ ଗୋଳା ବର୍ଷଣ, ଯବାନଙ୍କ ଫାୟାର ଗନ୍ ଡ୍ରିଲ୍ ପ୍ରଭୃତି ଗୋଟିଏ ପରେ ଗୋଟିଏ ଦୁଃସାହସିକ ଯୁଦ୍ଧ କୌଶଳ ଅଭ୍ୟାସ କରିଥିବା ବେଳେ ଏହା ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଉତ୍ସାହିତ କରିଛି ।
ଡିସେମ୍ବର 2ରେ ଡେମୋ, 4ରେ ଫୁଲ ସୋ':ଭାରତୀୟ ନୌସେନା ଶତ୍ରୁ ସେନାକୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଦେଶବାସୀଙ୍କୁ ଏହି ଯୁଦ୍ଧ କୌଶଳ ଜରିଆରେ ବାର୍ତ୍ତା ଦେଇଛି ନୌସେନା । ତେବେ ଆଗାମୀ ଦୁଇ ତାରିଖରେ ନୌସେନା ପକ୍ଷରୁ ଯୁଦ୍ଧ କଳା କୌଶଳ ନେଇ ଡେମୋ ସୋ' ଥିବାବେଳେ ୪ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନୌସେନାର ଯବାନ ମାନେ ଆକାଶ, ଜଳ ଏବଂ ସ୍ଥଳ ପଥରେ ଚୁଡାନ୍ତ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ । ଏହି ପ୍ରଦର୍ଶନ ଦେଖିବାକୁ ପର୍ଯ୍ୟଟକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
ନୌସେନା ଦିବସ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା:
ଅନ୍ୟପଟେ ନୌସେନା ଦିବସକୁ ସଫଳତାର ସହ ସମାପନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିସହ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ ସିଟି ରୋଡ ବାଙ୍କି ମୁହାଣ ଠାରୁ ସମୁଦ୍ର କୂଳ ଥାନା ହରିହର ଛକ ପର୍ଯ୍ୟନ୍ତ ନୋ ମ୍ୟାନ୍ସ ଲ୍ୟାଣ୍ଡ ତଥା ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ରହିବ । ସେହିପରି ପର୍ଯ୍ୟଟକଙ୍କ ଯାତାୟତରେ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ହୋଟେଲ ମାଲିକଙ୍କ ସହ ପୁରୀ ଏସପି ବିନୀତ ଅଗ୍ରୱାଲ ଆଲୋଚନା କରିଛନ୍ତି ।

ଉଠା ଦୋକାନୀ ବସିବେନି, ପର୍ଯ୍ୟଟକଙ୍କ ପାଇଁ କଟକଣା:ଆସନ୍ତା ୧ରୁ ୫ ତାରିଖ ଯାଏଁ ବଡ଼ଦାଣ୍ଡରେ କୌଣସି ଉଠା ଦୋକାନୀଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ । ନୌସେନା ଦିବସ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ନିମନ୍ତେ ବଡ଼ଦାଣ୍ଡ ସମେତ ପୁରୀ ବେଳାଭୂମିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମୁଦ୍ର ଭିତରକୁ ପ୍ରବେଶ ନେଇ ମଧ୍ୟ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯିବ । ପୁରୀ ସହର ସମେତ ବିଭିନ୍ନ ପ୍ରବେଶ ପଥରେ ସିସିଟିଭି କ୍ୟାମେରା ଲଗାଯାଇ କଡ଼ା ନଜର ରଖାଯାଇଛି । ନୌସେନା ଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ପୁରୀରେ ଆୟୋଜିତ ହେବା ଆମପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏହାକୁ ସଫଳତାର ସହ ଆୟୋଜନ ନେଇ ପୁରୀ ପୋଲିସ ପକ୍ଷରୁ ଯାହା କିଛି ବ୍ୟବସ୍ଥା ହୋଇଛି ସେନେଇ ସହଯୋଗ କରିବାକୁ ପୁରୀ ଆସୁଥିବା ପର୍ଯ୍ୟଟକ ଏବଂ ସହରବାସୀ ପୋଲିସକୁ ସହଯୋଗ କରିବା ପାଇଁ ଏସପି ନିବେଦନ କରିଛନ୍ତି ।
ରାଷ୍ଟ୍ରପତିଙ୍କ ଠାରୁ ଗୃହମନ୍ତ୍ରୀ ହେବେ ସାମିଲ:
ନୌସେନା ଦିବସ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଭିଭିଆଇପି ଯୋଗ ଦେବେ । ଏହି ଉତ୍ସବରେ ନୌସେନାର ୨୪ଟି ଯୁଦ୍ଧ ଜାହାଜ, ୪୦ଟି ଯୁଦ୍ଧ ହେଲିକପ୍ଟର, ଜେଟ୍ ଓ ବିମାନ ସାମିଲ୍ ହୋଇ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରିବେ ।
ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, 'ଆଗାମୀ ଡିସେମ୍ବର 4ରେ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ହେବ । ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଉପସ୍ଥିତ ରହିବେ । ସେଥିପାଇଁ ପୁରୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟ୍ରାଫିକ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ କେତେକ କଟକଣା ରହିବ । ଆମର ବିଶ୍ୱାସ ରହିଛି ନୌସେନା ଦିବସ ଭଲରେ ଅନୁଷ୍ଠିତ ହେବ । ସମୁଦ୍ର କୂଳରେ ମଧ୍ୟ କଡ଼ା ସୁରକ୍ଷା ରହିବ । ନୌସେନା ସୋ' ଦେଖିବାକୁ ଆସିଥିବା ଲୋକ ମାନେ ଭଲରେ କାର୍ଯ୍ୟକ୍ରମକୁ ଉପଭୋଗ କରି କିଭଳି ଫେରିବେ ସେ ନେଇ ସବୁ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟକ୍ରମ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ବେଚ୍ଛାସେବୀ, ବିଭିନ୍ନ ସାହିର ମୁରବୀ ଓ ହୋଟେଲିୟରଙ୍କ ସହ ପୋଲିସ୍ ପକ୍ଷରୁ ଆଲୋଚନା ହୋଇଛି । ପୁରୀକୁ ଆସିଥିବା ପର୍ଯ୍ୟଟକ ଓ ପୁରୀ ବାସିନ୍ଦାଙ୍କୁ ଯାତାୟାତ ସହିତ ଅନ୍ୟ କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ହୁଏ ସେ ଦିଗରେ ପୋଲିସର ନଜର ମଧ୍ୟ ରହିଛି ।












Click it and Unblock the Notifications