ଆଜି ପୁଣି ଥରେ ବିଜେଡି ବିଧାୟକ ମାନଙ୍କୁ ନବୀନ ନିବାସ ଡାକରା
ଶୁକ୍ରବାର ଅପରାହ୍ଣରେ ଚଳଚଞ୍ଚଳ ହୋଇଥିଲା ନବୀନ ନିବାସ। ୫ଟାରେ ବୈଠକ ଡକା ଯାଇଥିବାରୁ ଜଣକ ପରେ ଜଣେ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ। ପ୍ରାୟ ୩୫ରୁ ଅଧିକ ବିଧାୟକ ପହଞ୍ଚିବା ପରେ ବୈଠକ ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ରାଜ୍ୟସଭା ନିର୍ବାଚନ ସହ ଅନ୍ୟ କେତେକ ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କୌଣସି କାରଣବଶତଃ ଏହି ବୈଠକ ହୋଇପାରିନି। ଏପରିକି ନବୀନଙ୍କ ସହ ବିଧାୟକଙ୍କ ସାକ୍ଷାତ ମଧ୍ୟ ହୋଇନଥିଲା କି କୌଣସି ପ୍ରକାର ଆଲୋଚନା ହୋଇନଥିଲା। ୫ଟାରୁ ୬ଟା ୧୫ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବିଧାୟକମାନେ ଫେରିଥିଲେ। ବିଧାୟକମାନେ କେବଳ ନବୀନ ନିବାସ ଯାଇ ସେଠାରେ ଚା', ସ୍ୟାଣ୍ଡୱିଚ୍ ଖାଇ ଫେରିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ନବୀନ ନିବାସରୁ ଫେରିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଧାୟକ ସୁନିଲ ମହାନ୍ତି, ସୁବାସିନୀ ଜେନା କହିଲେ, ସଙ୍ଗଠନକୁ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା ହେଲା। ରାଜ୍ୟସଭା ପ୍ରସଙ୍ଗରେ କିଛି ଆଲୋଚନା ହୋଇନାହିଁ। ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଦଳର ସଭାପତି ଆଜି ସମସ୍ତ ବିଧାୟକଙ୍କ ବୈଠକ ଡାକିଥିଲେ। ପ୍ରଥମ ପର୍ଯ୍ୟାୟରେ ସଙ୍ଗଠନ ବିଷୟରେ ଆଲୋଚନା ହେଲା। ବିଭିନ୍ନ ନିର୍ବାଚନମଣ୍ଡଳୀ ବିଷୟରେ ସେ ପଚାରି ବୁଝିଲେ। ଶନିବାର ପୁଣିଥରେ ବୈଠକ ଡକାଯାଇଛି। ବିଧାୟକ ଅରୁଣ ସାହୁ କହିଥିଲେ, ସଙ୍ଗଠନ ସମ୍ପର୍କରେ ଅନେକ କଥା ଆଲୋଚନା ହେଲା।
ସୂଚନାଯୋଗ୍ୟ, ଗୁରୁବାର ଦଳର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ବସିଥିଲା। ରାଜ୍ୟସଭା ସଂକ୍ରାନ୍ତ ସବୁ ନିଷ୍ପତ୍ତି ପାଇଁ ପିଏସି ଦଳର ସଭାପତି ନବୀନଙ୍କୁ କ୍ଷମତା ନ୍ୟସ୍ତ କରିଛି। ଶୁକ୍ରବାର ବିଧାୟକଙ୍କ ବୈଠକ ଡକାଯାଇଥିଲା। ଏହା ବାତିଲ ହେବା ପରେ ଶନିବାର ପୂର୍ବାହ୍ଣ ୧୧ଟା ୩୦ରେ ପୁଣିଥରେ ବୈଠକ ଡକାଯାଇଛି। ବିଜେଡି ସୂତ୍ର ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତିକୁ ବିଜେଡି ଅପେକ୍ଷା କରିଛି। ତା' ପୂର୍ବରୁ ଦଳ କୌଣସି ନିଷ୍ପତ୍ତି ନେଉନି। ବିଜେପି କେତେଜଣ ପ୍ରାର୍ଥୀ ଦେଉଛି ତାହା ଉପରେ ନଜର ରଖି ଦଳ ଗୋଟିଚାଳନା କରୁଛି।












Click it and Unblock the Notifications