Get Updates
Get notified of breaking news, exclusive insights, and must-see stories!

୭୫ ବର୍ଷରେ ପଦାର୍ପଣ କଲେ ନବୀନ: ବିପର୍ଯ୍ୟୟ ପରିଚାଳନା ଠାରୁ ମହିଳା ସଶକ୍ତିକରଣ-ସବୁଠି ଲେଖିଛନ୍ତି ସଫଳ କାହାଣୀ

ଭୁବନେଶ୍ବର: ରାଜ୍ୟର ସବୁଠୁ ଶକ୍ତିଶାଳୀ ଓ ସର୍ବାଧିକ କାଳ ଜନସେବାକୁ ଆଧାର କରି କ୍ଷମତାସୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବୟସରେ ମଧ୍ୟ ନବୀନ ହେଉଛନ୍ତି ହୃଦୟରେ ଓ ମାନସିକ ଭାବେ ଯୁବକ, ଜଣେ ଏଭଳି ବ୍ୟକ୍ତି ଯେକି ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ନେତା ଭାବରେ ଉପନୀତ ଅଛନ୍ତି।

Naveen Patnaik

କୋଡିଏ ବର୍ଷ ଧରି ନେଉଛନ୍ତି ନେତୃତ୍ଵ:

୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ରୂପାନ୍ତରଣର ନେତୃତ୍ବ ନେଇ ଆସୁଛନ୍ତି। ସେ ଯେ ଦେଶର ସବୁଠାରୁ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଥିରେ କୌଣସି ଦ୍ବିମତ ନାହିଁ। ଏହା ପଛରେ ରହିଛି ତାଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି, ସରଳ ଜୀବନ ଓ ଦୁର୍ନୀତିର ଲେଶମାତ୍ର ଛାଇ ନଥିବା ସବୁଠାରୁ ପାରଦର୍ଶୀ ସରକାର।

ନବୀନ ପଟ୍ଟନାୟକ

ସାମାଜିକ- ଆର୍ଥିକ ବିକାଶର ଜଣେ ଦୃଢ଼ ପ୍ରବର୍ତ୍ତକ ଓ ପଥପ୍ରଦର୍ଶକ, ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଓ ବିକାଶ ଆଧାରିତ ନୀତି ଓଡ଼ିଶାକୁ ଦାରିଦ୍ର୍ୟର ଶୃଙ୍ଖଳରୁ ମୁକ୍ତ କରି ଦେଶର ଏକ ଦ୍ରୁତ ବିକାଶଶୀଳ ଚମକପ୍ରଦ ରାଜ୍ୟରେ ପରିଣତ କରାଇ ପାରିଛି। ଜନସମୂହ ପ୍ରତି ତାଙ୍କର ନିଷ୍ଠାପର ଭାବେ ସେବା କରିବାର ଆଭିମୁଖ୍ୟ ଫଳରେ ସେ ସମସ୍ତ ଓଡ଼ିଆଙ୍କ ହୃଦୟ ଜିଣିବାରେ କେବଳ ଯେ ସମର୍ଥ ହୋଇଛନ୍ତି ତାହାନୁହେଁ, ବରଂ ଏଥିସହ ସେମାନଙ୍କ ଚିର, ବିପୁଳ ସମର୍ଥନ ଓ ସ୍ନେହ ଶ୍ରଦ୍ଧା ହାସଲ କରି ଆସିଛନ୍ତି।

ପ୍ରାୟ ଦୁଇ ଦଶନ୍ଧି କାଳ ରାଜ୍ୟକୁ ଶାସନ କରି ଆସିଥିବା, ୫ ଥରର ଏହି ମୁଖ୍ୟମନ୍ତ୍ରୀ କିନ୍ତୁ ଅତି ସରଳ, ଲୋ-ପ୍ରୋଫାଇଲ ସର୍ବସାଧାରଣ ଜୀବନ ଜୀଇଁବାରେ ବିଶ୍ବାସ ରଖନ୍ତି। ସୁଟ୍‌ବୁଟ୍ ନୁହେଁ କି ଦାମୀ ପୋଷାକ ନୁହେଁ, ସାଦାସିଧା ଧଳା କୁର୍ତ୍ତା ପାଇଜାମା ଓ ହଳେ ଚପଲ ତାଙ୍କ ପରିଧାନ। କିନ୍ତୁ ସେ ବେଶ୍ ମଜବୁତ ଆତ୍ମବିଶ୍ବାସୀ ଓ ବିପୁଳ ଲୋକପ୍ରିୟତା ଠାରୁ ଅଧିକ ବିଶାଳ ପରିବ୍ୟାପ୍ତ ତାଙ୍କ ଜୀବନ। ମତଦାତାଙ୍କ ଲଗାତର ସମର୍ଥନ ଓ ଭୋଟ ବିଜୟ ତାଙ୍କୁ କେବଳ ଅଧିକ ବିନମ୍ର ଓ ସେବାଭିମୁଖୀ କରିଛି।

୧୯୯୯ ମହାବାତ୍ୟା ପରବର୍ତ୍ତୀ ସବୁଠାରୁ ବଡ଼ ଦୁର୍ଦ୍ଦିନରୁ ଓଡ଼ିଶାକୁ ଉଦ୍ଧାର କରି ନବନିର୍ମାଣର କାରିଗରୀ ସହ ନବୀନ ପଟ୍ଟନାୟକ ରାଜ୍ୟକୁ ବିକାଶର ଏକ ନୂଆ ଯୁଗରେ ଆଣି ପହଞ୍ଚାଇ ପାରିଛନ୍ତି। ନବୀନଙ୍କ ଦୁଇ ଦଶନ୍ଧିର ରାଜନୈତିକ ନେତୃତ୍ବ ହେଉଛି ଓଡ଼ିଶାର ରୂପାନ୍ତରଣ ଓ ପ୍ରଗତିର ସଫଳ ଯାତ୍ରାର ଗାଥା। ସେଇ ଅଦ୍ୱିତୀୟ ଜନନାୟକ ଯେତେବେଳେ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି, ନ୍ୟୁଜରୁମ୍ ଡଟ୍ କୋ ଡଟ୍ ଇନ୍ ତାଙ୍କ ନେତୃତ୍ବରେ ଓଡ଼ିଶା ହାସଲ କରିଥିବା କିଛି ବୃହତ୍ ତଥା ଉଲ୍ଲେଖନୀୟ ସଫଳତାକୁ ଜନମାନସରେ ଉପସ୍ଥାପନ କରିବାର ପ୍ରୟାସ କରିଛି।

କାରୋନା ମହାମାରୀ ମୁକାବିଲା:

ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କରୋନା ମହାମାରୀ ମୁକାବିଲା କରିବାରେ ବାସ୍ତବବାଦୀ ଓ ସାକାରାତ୍ମକ ଆଭିମୁଖ୍ୟ ପୋଷଣ କରି ଆସିଛି। ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ କିଭଳି ଏପରି ମହାମାରୀର ସମ୍ମୁଖୀନ କରିହେବ, ନିଜ ରାଜ୍ୟବାସୀଙ୍କ ଜୀବନ ରକ୍ଷା ସହ ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତାର ହାତ ବଢ଼ାଇ ସେଠିକାର ଲୋକଙ୍କ ଜୀବନ ରକ୍ଷା କରିହେବ ତାହାର ଉତ୍କୃଷ୍ଟ ନମୁନା ପ୍ରଦର୍ଶନ କରିପାରିଛି ନବୀନ ପଟ୍ଟନାୟକଙ୍କ ସରକାର।

naveen patnaik

ବିଶେଷ କରି ନିଜସ୍ଵ ପରିଚାଳନା ଓ ବ୍ୟୟରେ, ନିଜ ରାଜ୍ୟରେ ଉତ୍ପାଦିତ ଅମ୍ଲଜାନ ପୋଲିସ ସୁରକ୍ଷା ମଧ୍ୟରେ ବଡ଼ ବଡ଼ ଟ୍ୟାଙ୍କର୍ ଜରିଆରେ ଯେତେବେଳେ ଯେଉଁ ରାଜ୍ୟକୁ ଦରକାର ପଡ଼ିଲା, ସେଠି ଅବିଳମ୍ବେ ସୁରୁଖୁରୁରେ ପହଞ୍ଚାଇ ଅନେକ ଜୀବନରକ୍ଷା କରିବାର ମାଧ୍ୟମ ସାଜିଥିଲେ ନବୀନ ପଟ୍ଟନାୟକ। ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନଥିଲା କି ନଥିଲା ଲୋକଦେଖାଣିଆ ସହଯୋଗର ମନୋଭାବ, କେବଳ ଆଉ କେବଳ ମାନବୀୟ ସହାୟତା ଏବଂ ମୃତ୍ୟୁମୁଖରୁ ନିଜ ଦେଶବାସୀଙ୍କୁ ବଞ୍ଚାଇବାର ସତତ ପ୍ରୟାସ। ଯେତେବେଳେ ଅନ୍ୟ ରାଜ୍ୟ ଅମ୍ଲଜାନ ପାଇଁ ବିକଳ ଦୃଷ୍ଟିରେ ଚାରିଆଡ଼େ ଚାହୁଁଥିଲେ, ସେତେବେଳେ କେବଳ ନିଜ ରାଜ୍ୟର ଅମ୍ଲଜାନ ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ପୂରଣ କରିନଥିଲେ, ତା ସହ ଅନ୍ୟ ରାଜ୍ୟର ଆବଶ୍ୟକତା ଅନୁସାରେ ସେଠାକୁ ଅମ୍ଲଜାନ ଯୋଗାଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ସେଥିପାଇଁ ତ ନବୀନଙ୍କୁ ଅନେକ ରାଜ୍ୟର ଶାସନମୁଖ୍ୟମାନେ କୃତଜ୍ଞତା ଜଣାଇବାକୁ ଶବ୍ଦ ପାଇପାରି ନାହାନ୍ତି। କୋଭିଡ୍ ଆକ୍ରାନ୍ତ ଅନେକ ରୋଗୀ ଯେଉଁମାନେ ଅମ୍ଳଜାନ ଠିକ୍ ସମୟରେ ପାଇ ମୃତ୍ୟୁମୁଖରୁ ବର୍ତ୍ତି ଆସିଛନ୍ତି ସେମାନଙ୍କ ପରିଜନ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏଇ ବଦାନ୍ୟତା ସକାଶେ ସଦା ଋଣୀ ହୋଇଯାଇଛନ୍ତି। ଆଉ ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସଫଳ ଓ ଦକ୍ଷ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ଉଚ୍ଚପ୍ରଶଂସା କରିଛି।

ବିପର୍ଯ୍ୟୟ ପରିଚାଳନାରେ ସଫଳତା:

ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଓଡ଼ିଶାର ଚିର ସହଚର। ଉଣାଅଧିକେ ପ୍ରାୟ ପ୍ରତିବର୍ଷ ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହୋଇ ଆସୁଛି। ୧୯୯୯ ମହାବାତ୍ୟା ତୁଲ୍ୟ ପ୍ରବଳ କ୍ଷୟକ୍ଷତି ଘଟାଇଥିବା ଫାଇଲିନ୍ ସମୟ ବେଳକୁ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଦାୟିତ୍ବ ଗ୍ରହଣ କରିଥିଲେ, ସେତେବେଳେ ଯଦିଓ କ୍ଷୟକ୍ଷତି ଅନେକ ହୋଇଥିଲା ତେବେ ଉଲ୍ଲେଖନୀୟ ଭାବେ ଜୀବନହାନି ଥିଲା ସବୁଠାରୁ କମ୍। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ପରାକାଷ୍ଠା ପ୍ରଦର୍ଶନର ଏହା ଥିଲା ସର୍ବୋତ୍କୃଷ୍ଟ ନମୁନା।

ମାତ୍ର ୪ ଦିନରେ ଏକ ନିୟୁତରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ସେମାନଙ୍କ ଜୀବନ ନିରାପଦ କରିବାରେ ଓଡ଼ିଶା ସରକାର ହାସଲ କରିଥିଲେ ଅଦ୍ଭୁତପୂର୍ବ ସଫଳତା। କେବଳ ଫାଇଲିନ୍ ନୁହେଁ, ଫନି, ତିତଲି ଓ ଅନ୍ୟାନ୍ୟ ମହାବାତ୍ୟା ବେଳେ ମଧ୍ୟ ସମାନ ବିପର୍ଯ୍ୟୟ ପରିଚାଳନାର ସଫଳ ନିଦର୍ଶନ ଦେଖାଇଥିଲେ ନବୀନ ସରକାର।

ମହିଳା ସଶକ୍ତୀକରଣର ବଳିଷ୍ଠ ଉଦାହରଣ

ଅନ୍ୟମାନେ କେବଳ ସ୍ଲୋଗାନ୍‌ ଦିଅନ୍ତି, ସଂସଦ ହେଉ ବା ସର୍ବସାଧାରଣରେ, କେବଳ ଭାଷଣ ଦେଇପାରନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କଥାରେ କୁହନ୍ତିନି, ବରଂ କାମରେ କରି ଦେଖାଇ ବିରୋଧୀଙ୍କୁ ମଧ୍ୟ ତାଙ୍କ ପ୍ରଶଂସା କରାଇବାକୁ ଏକରକମ ମଜବୁର୍ କରାଇ ପାରନ୍ତି। ମହିଳା ସଶକ୍ତିକରଣ ଏଭଳି ଏକ ଦିଗ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵକୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦ ଉଣା ପଡ଼ିଯିବ। କେବଳ ନିଜ ଦଳରୁ ସଂସଦ ଓ ବିଧାନସଭାକୁ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏକତୃତୀୟାଂଶରୁ ଅଧିକ ରଖିନାହାନ୍ତି, ବରଂ ନିଜ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣର ଅନୁକରଣୀୟ ବ୍ୟବସ୍ଥା ସୃଷ୍ଟି କରିପାରିଛନ୍ତି ସେ। ରାଜ୍ୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ବିପୁଳ ସଂଖ୍ୟାରେ ଗଠନ ଓ ସମାଜର ଊଣାଅଧିକେ ସମସ୍ତ କ୍ଷେତ୍ରରେ ସେହି ସଦସ୍ୟାଙ୍କ ସକ୍ରିୟ ସହଭାଗିତା ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ଆଭିମୁଖ୍ୟର ନିଚ୍ଛକ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବନି। ସେ କୋଭିଡ୍ ପରିଚାଳନା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ସ୍ୱଚ୍ଛତା ହେଉ ବା ଗୃହ/ ଗ୍ରାମୀଣ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା, ଆର୍ଥିକ ଭାବେ ମଜବୁତ କରିବା ଠାରୁ ଆରମ୍ଭ କରି ସମାଜରେ ନାରୀ ଶକ୍ତିକୁ ପ୍ରତିଷ୍ଠା କରାଇବାରେ ଅଗ୍ରଣୀ ଧ୍ଵଜାଧାରୀ ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ଆଉ ଏ କ୍ଷେତ୍ରରେ ଅଦ୍ବିତୀୟ ଉଦାହରଣ ଭାବେ ସ୍ୱତନ୍ତ୍ର ନାରୀ ସଶକ୍ତୀକରଣ ଓ ମିଶନ୍ ଶକ୍ତି ବିଭାଗ ପ୍ରତିଷ୍ଠା ତାଙ୍କର ଆଉ ଏକ ମାଷ୍ଟରଷ୍ଟ୍ରୋକ୍। ସେଥିପାଇଁ ତ ବିରୋଧୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବାରେ ଦ୍ବିଧା କରନ୍ତିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+