ପାଣ୍ଡିଆନଙ୍କ ସହ ତାମିଲନାଡ଼ୁରେ ନବୀନ, ରାଜନୈତିକ ମହଲରେ ଜୋର୍ ଧରିଲା ଚର୍ଚ୍ଚା
ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ତାମିଲନାଡୁର କୋଇମ୍ବାଟୁର ବିମାନବନ୍ଦରରେ ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି। ଯିଏକି ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ଏକ ଭିଡିଓ ମେସେଜ ଜରିଆରେ ଘୋଷଣା କରିଛନ୍ତି । ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କୋଇମ୍ବାଟୁର ବିମାନବନ୍ଦରରେ ଉଭୟ ପହଞ୍ଚି ଚାଲି ଚାଲି ଯାଉଥିବାର ଭିଡିଓ ଭାଇରାଲ ହୋଇଛି। ସୂଚନା ଅନୁସାରେ, ସେମାନେ କେରଳରୁ ଆସିଥିବା ଅନୁମାନ କରାଯାଉଛି, ଯାହା ଗାଡ଼ିର ନମ୍ବର ପ୍ଲେଟ୍ରୁ ଜଣାପଡ଼ିଛି।

ଓଡ଼ିଶାରେ ବିଧାନସଭାର ଅଧିବେଶନ ଚାଲିଛି । ନବୀନ କିନ୍ତୁ ଅନୁପସ୍ଥିତ । ଯାହା ରାଜ୍ୟରେ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ଏହା ପୂର୍ବରୁ ତାଙ୍କର ଦିଲ୍ଲୀ ଗସ୍ତ ନେଇ ମଧ୍ୟ ଅନୁମାନ ଚାଲିଥିଲା । ସେ ଦିଲ୍ଲୀକୁ ସିକ୍ରେଟ୍ ଭିଜିଟ୍ କରିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତେବେ ଏହି ଗସ୍ତ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପଟେ କୋଇମ୍ବାଟୁର ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଏହି ଗସ୍ତ ସମ୍ପର୍କରେ ପ୍ରଶ୍ନ ଉଠିବା ପରେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଗଣମାଧ୍ୟମକୁ ଆଶ୍ୱାସନା ଦେଇ କହିଛନ୍ତି, "ନବୀନ ବାବୁ ବ୍ୟକ୍ତିଗତ କାରଣରୁ ବାହାରକୁ ଯାଇଛନ୍ତି ଏବଂ ଖୁବ୍ ଶୀଘ୍ର ଫେରି ଆସିବେ।" ସେ ଆହୁରି କହିଛନ୍ତି, "ନବୀନ ବାବୁ ପୂର୍ବରୁ ମଧ୍ୟ ବ୍ୟକ୍ତିଗତ କାମ ଯେପରି ସ୍ୱାସ୍ଥ୍ୟ ପରୀକ୍ଷା ଆଦି ପାଇଁ ବାହାରକୁ ଯାଉଥିଲେ। ତାଙ୍କ ଏହି ଯାତ୍ରାର କାରଣ ମୁଁ ସ୍ପଷ୍ଟ କରି ପାରିବି ନାହିଁ।" ନବୀନ ପଟ୍ଟନାୟକ କିମ୍ବା ଭି.କେ. ପାଣ୍ଡିଆନଙ୍କ ତରଫରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନବୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ ଦ୍ୱାରା ଆୟୋଜିତ ବିରୋଧୀ ଦଳଗୁଡ଼ିକର ଏକ ବୈଠକକୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଏହି ବୈଠକ ନିର୍ବାଚନ ମଣ୍ଡଳୀ ଡିଲିମିଟେସନ ଆଲୋଚନା ପାଇଁ ଆୟୋଜିତ ହୋଇଥିଲା। ଏହା ପୂର୍ବରୁ ସେ ସମଦୂରତା ନୀତି ଅବଲମ୍ବନ କରୁଥିବା ବେଳେ ଏବେ ତାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନ ଆସୁଛି ବୋଲି ଚର୍ଚ୍ଚା ଜୋର ଧରିଛି।












Click it and Unblock the Notifications