ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ଦାବି କଲେ ନବୀନ
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ଘଟଣା ଦୁର୍ଭାଗ୍ୟଜନକ କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କଲେ । ଏହା ସହ ଅମାନବୀୟ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି- ଥାନା ଭିତରେ ଯୌନ ନିର୍ଯାତନା ଘଟଣା ଅତି ନିନ୍ଦନୀୟ ।
ରାଜ୍ଯରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ଭୁଶୁଡି ପଡିଛି । ଆଇନଶୃଙ୍ଖଳା ନିୟନ୍ତ୍ରଣରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି। ସେହିପରି ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ନୀରବତାକୁ ସମାଲୋଚନା କରିଛନ୍ତି ନବୀନ । ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ସେ କହିଛନ୍ତି। ଏସବୁ ରାଜ୍ଯ ସରକାରଙ୍କ ଅପାରଗତାକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି ।

ଘଟଣାକ୍ରମେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍ରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାର୍ରେ କିଛି ରୋଡ୍ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ।
କିନ୍ତୁ ପୁଲିସ୍ ରୋଡ୍ ରୋମିଓଙ୍କୁ ଧରିବ କ'ଣ ପ୍ରଥମେ ଲିଖିତ ଏତଲା ଦାବି କରିଥିଲା। ଏହାକୁ ନେଇ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଲାଗିଥିଲା ଯୁକ୍ତିତର୍କ। ତାହାରି ଭିତରେ ଗୁରୁବଂଶଙ୍କୁ ରାତିତମାମ୍ ଲକ୍ଅପ୍ରେ ରଖିଥିଲା ପୁଲିସ୍। ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ ।
ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଥିଲା। ପୁଲିସ୍ର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଏବେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ତାଙ୍କ ଜାମିନ ବି ମଞ୍ଜୁର ହୋଇ ଯାଇଛି।
ଏହି ଘଟଣା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବା ସହ ଅବସରପ୍ରାପ୍ତ ସେନା କର୍ମଚାରୀ ପୁଲିସ୍ର ଏପରି ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ। ଏହାପରେ ତତ୍କ୍ଷଣାତ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀଙ୍କୁ ପ୍ରଥମେ ବଦଳି ଓ ପରେ ନିଲମ୍ବିତ କରାଯାଇଥିଲା।












Click it and Unblock the Notifications