"ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ"
ଭୁବନେଶ୍ବର:ସାରା ଦେଶରେ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମର ପରିଚାଳନା କ୍ଷେତ୍ରରେ ପ୍ରେସ୍ କାଉନ୍ସିଲ୍ର ଭୂମିକା ମହତ୍ତ୍ୱପୂର୍ଣ୍ଣ । ପ୍ରେସ୍ର ସ୍ୱାଧୀନତା, ଦାୟିତ୍ୱ ସାଙ୍ଗକୁ ଏଥିରେ ସଂପୃକ୍ତ ଲୋକମାନଙ୍କର ଅଧିକାର ବାବଦରେ ସମସ୍ତଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ ବୋଲି ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମଲ୍ଲିକ ଏହା ପ୍ରକାଶ କରିଛନ୍ତି ।
ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ 'କୃତି୍ରମ ବୁଦ୍ଧିମତା ସମୟରେ ଗଣମାଧ୍ୟମ' ଶୀର୍ଷକ ସେମିନାରକୁ ଉଦ୍ଘାଟନ କରି ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କହିଲେ ଯେ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସାମ୍ବାଦିକ ଓ ଗଣମାଧ୍ୟମର ଭୂମିକା ସମାଜ ଗଠନ ଓ ଦିଗ୍ଦର୍ଶନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସମାଜକୁ ଉନ୍ନତି ଓ ପ୍ରଗତି ପଥରେ ଆଗେଇନେବା ପାଇଁ ଗଣମାଧ୍ୟମ ସବୁବେଳେ ପ୍ରୟାସରତ ।

ସାରା ଦେଶରେ ସାମ୍ବାଦିକମାନଙ୍କ ପାଇଁ କଲ୍ୟାଣ ଯୋଜନା ଲାଗୁ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ମିଳୁଥିବା ୨ ଲକ୍ଷ ଟଙ୍କାକୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି। ସାମ୍ବାଦିକମାନଙ୍କର ସୁବିଧା-ଅସୁବିଧା ସଂପର୍କରେ ସରକାର ସଚେତନ ଅଛନ୍ତି ।
ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା କୃତି୍ରମ ବୁଦ୍ଧିମତା ସାମ୍ବାଦିକତା କ୍ଷେତ୍ରରେ ବଡ଼ ଆହ୍ୱାନ ହୋଇ ଠିଆ ହୋଇଛି । ତେବେ ଆମକୁ ପରବର୍ତ୍ତିତ ସମୟରେ ଟେକ୍ନୋଲୋଜିର ବ୍ୟବହାର ସହ ପାରମ୍ପରିକ ପଦ୍ଧତିରେ କାର୍ଯ୍ୟ କରିବାକୁ ପଡ଼ିବ । ଆମେ କେବେହେଲେ ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି ।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ବରିଷ୍ଠ ସାମ୍ବାଦିକ ଶୀତଳ ତରଙ୍ଗ ବେଉରିଆ, ଅଶୋକ ପଣ୍ଡା, ରମେଶ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ସେମିନାରରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ଡ. ସୁପ୍ରିତା ପାଲିତ ଉପସ୍ଥିତ ଥିଲେ ।












Click it and Unblock the Notifications