ଏବେ ବି ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ନାସା ପଠାଇଲା ଫଟୋ
ଏବେ ଉତ୍ତର ଶିମିଳିପାଳର ୬ଟି ରେଞ୍ଜରେ ଲାଗିଛି ନିଆଁ। ଏନେଇ ନାସାର ସାଟେଲାଇଟ୍ ଦୃଶ୍ୟ ସାମ୍ନାକୁ ଆସିଛି । ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରୁ ପ୍ରତିଦିନ ନୂଆ ନୂଆ ସ୍ଥାନକୁ ନିଆଁ ବ୍ୟାପୁଛି ।
ମୟୂରଭଞ୍ଜ: 15 ଦିନରେ ପହଞ୍ଚିଲାଣି ଶିମିଳିପାଳ ଅଭ୍ୟାରଣ୍ୟରେ ନିଆଁ ଲାଗିବା ଘଟଣା । ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ପକାଉଛନ୍ତି ଆଉ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

ମାତ୍ର ନିଆଁ ଲିଭିବାର ନାଁ ଧରୁନି। ଏବେ ଉତ୍ତର ଶିମିଳିପାଳର ୬ଟି ରେଞ୍ଜରେ ଲାଗିଛି ନିଆଁ। ଏନେଇ ନାସାର ସାଟେଲାଇଟ୍ ଦୃଶ୍ୟ ସାମ୍ନାକୁ ଆସିଛି । ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରୁ ପ୍ରତିଦିନ ନୂଆ ନୂଆ ସ୍ଥାନକୁ ନିଆଁ ବ୍ୟାପୁଛି । ଆଜି ଉତ୍ତର ଶିମିଳିପାଳର ଗୁଡ଼ଗୁଡ଼ିଆ ରେଞ୍ଜର ୩ଟି, ବରେଇପାଣି ରେଞ୍ଜର ଗୋଟିଏ, କେନ୍ଦୁମୁଣ୍ଡି ରେଞ୍ଜ ୪ଟି, ନଅଣା ରେଞ୍ଜ ୩ଟି, ଠାକୁରମୁଣ୍ଡା ରେଞ୍ଜ ୨ଟି, ତାଳବନ୍ଧ ରେଞ୍ଜରେ ୧ଟି ଜାଗାରେ ନିଆଁ ଲାଗିଛି। ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ ଓ ବନ କର୍ମଚାରୀ ନିୟୋଜିତ ଅଛନ୍ତି।
ଶିମିଳିପାଳରେ ନିଆଁ ଲିଭେଇବା କାମରେ ରାଇରଙ୍ଗପୁର, ବାରିପଦା, ବାଲେଶ୍ୱର ଓ ଭଦ୍ରକରୁ ୫ଟି ଅଗ୍ନିଶମ ବିଭାଗର ଟିମ୍ ମୁତୟନ ହୋଇଛନ୍ତି। ଶିମିଳିପାଳରେ ନିଆଁ ଲାଗିବା ଯୋଗୁ ବହୁ ଔଷଧୀୟ ଗଛ ପୋଡି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।












Click it and Unblock the Notifications